Odisha Link
Bridging the Missing Links in Odisha

ଦିଲ୍ଲୀରେ ଶାହଙ୍କୁ ଭେଟିଲେ ଫଡନାଭିସ୍, କହିଲେ ମହାରାଷ୍ଟ୍ର ରାଜନୀତି..

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରେ ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ରରେ ଚାଲିଥିବା କ୍ଷମତା କନ୍ଦଳ ଏବେ ଦିଲ୍ଲୀରେ ପହଞ୍ଚିଲା। ଏହି କ୍ଷମତା କନ୍ଦଳ ଭିତରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି।

ବିଜେପିର ସହଯୋଗୀ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ପାଇଁ ଜିଦ୍‌ ଧରି ବସିଥିବାରୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ସଙ୍କଟ ଜାରି ରହିଛି। ମହାରାଷ୍ଟ୍ରର ରାଜନୀତିକ ସ୍ଥିତି ସମ୍ପର୍କରେ ଫଡନାଭିସ୍‌ ଆଜି ସାକ୍ଷାତ ସମୟରେ ଶାହଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ତେବେ ଫଡନାଭିସ୍‌ ଗଣମାଧ୍ୟମ ଆଗରେ ମହାରାଷ୍ଟ୍ର କ୍ଷମତା ଯୁଦ୍ଧ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ତେବେ ବିଜେପି ହିଁ ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି।

ସେ କହିଛନ୍ତି, “ମୁଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଚାଷୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ମାନଙ୍କୁ କେମିତି ସହଯୋଗ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଛି।” ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ମତ ଦେଇ ସେ କହିଛନ୍ତି, “ମହାରାଷ୍ଟ୍ର ରାଜନୀତି ବିଷୟରେ ମୁଁ କିଛି କହିବି ନାହିଁ। କିନ୍ତୁ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଆମେ ମହାରାଷ୍ଟ୍ରରରେ ସରକାର ଗଠନ କରିବୁ। ଏହାକୁ ନେଇ ମୁଁ ନିଶ୍ଚିତ ରହିଛି। ଏଥିରେ କେହି ବି ସନ୍ଦେହ ପ୍ରକାଶ କରିବା ଉଚିତ୍ ନୁହେଁ।”

ଅନ୍ୟପକ୍ଷରେ ଶିବସେନା ତା’ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରି ବିଜେପିର ଚିନ୍ତାକୁ ଦୁଇ ଗୁଣିତ କରିଛି। ବିଜେପି ଜଦି ଶିବସେନାର ୫୦:୫୦ ଫର୍ମୁଲାରେ ରାଜି ନ ହେବ, ତା’ହେଲେ ଦଳ ଏନ୍‌ସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବାକୁ ପଛାଇବ ନାହିଁ ବୋଲି ମଧ୍ୟ ଧମକ ଦେଇଛି।

Comments are closed.