Odisha Link
Bridging the Missing Links in Odisha

ବୁଲ୍‌ବୁଲ୍‌ ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ଵର: ବାତ୍ୟା ବୁଲବୁଲ୍‌ ପ୍ରଭାବରେ ଉପକୂଳ ଓଡ଼ିଶାରେ ଶନିବାର ବର୍ଷା ପରିମାଣ ବଢ଼ିବା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି। ସକାଳେ ବୁଲବୁଲ୍‌ ପାରାଦୀଠାରୁ ୧୧୦ କିଲୋମିଟର ଦୂରରେ ଥିବାବେଳେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇଛି। ତେବେ ବାତ୍ୟା ପୂର୍ବାହ୍ନ ୧୦ଟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବା ଆରମ୍ଭ କରିବ। ଏହା ପୂର୍ବରୁ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ବାଲେଶ୍ଵର ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଜାରି ରହିଛି। ଧାମରାରେ ୧୧୦ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ମିଳିଛି। ଜଗତ୍‌ସିଂହପୁର ଜିଲାର ପାରାଦୀପ ସମେତ ବିଭିନ୍ନ ସ୍ଥାନ, ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା, ବାଲେଶ୍ଵର ଜିଲାର ବାଲେଶ୍ଵର ଏବଂ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ସାଙ୍ଗକୁ ପବନ ବହିବାରୁ ବହୁ ସଂଖ୍ୟାରେ ଗଛ ଉପୁଡ଼ିପଡ଼ିଛି। ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାରାଦୀପରେ ୨୪ ଘଣ୍ଟାରେ ସର୍ବାଧିକ ୧୫୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୧୪୩ ମିଲିମିଟର, ବାଲେଶ୍ଵରରେ ୩୨ ମିମି ବର୍ଷା ହୋଇଛି। ଅପରାହ୍ନ ବେଳକୁ ବାଲେଶ୍ଵର ଏବଂ ଭଦ୍ରକରେ ବର୍ଷା ପରିମାଣ ବଢ଼ିବ ବୋଲି ସୂଚନା ଦିଆଯାଇଛି।

Comments are closed.