Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଭାଙ୍ଗିଲା ୩୦ବର୍ଷର ସମ୍ପର୍କ, କୋଳାକୋଳି ହେଲେ ପରସ୍ପର ବିରୋଧୀ

ମୁମ୍ବାଇ: ମହାରାଷ୍ଟ୍ର ପାଓ୍ବାର ପ୍ଲେରେ ବାଜିମାତ୍‌ ମାରିଲା ପରସ୍ପର ବିରୋଧୀ ଦଳ। ଅପରପକ୍ଷେ ୩୦ବର୍ଷର ସମ୍ପର୍କ ଛିନ୍ନ ହୋଇଛି। ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି। ଏନସିପି ସହ ଶିବସେନା ମେଣ୍ଟ କରି ଏଠାରେ ସରକାର ଗଢ଼ିବ ଏବଂ ବାହାରୁ କଂଗ୍ରେସ ସମର୍ଥନ କରିବ ବୋଲି କହିଛି।

ମୁଖ୍ୟମନ୍ତ୍ରୀ ପଦବୀ ଶିବସେନା ପାଖରେ ରହିବ ବୋଲି ସ୍ଥିର ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଏନସିପି ପାଖରେ ରହିବ। ତେବେ ଶିବସେନାରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଅସ୍ପଷ୍ଟ ରହିଛି। ଆଜି ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଶିବସେନା ପ୍ରସ୍ତାବ ଦେବ ବୋଲି ଜଣାପଡ଼ିଛି।

ଗତକାଲି ବିଜେପି ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟି ଜଣାଇଥିଲା। ଏହାପରେ ଶିବସେନାକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ଏଥିପାଇଁ ଆଜି ସନ୍ଧ୍ୟା ୭ଟା ୩୦ ଯାଏ ସରକାର ଗଢ଼ିବା ନେଇ ମତାମତ ରଖିବାକୁ କହିଥିଲେ ରାଜ୍ୟପାଳ।

୨୮୮ ଆସନ୍ତା ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୪୫ ଆସନ୍ତା ଲୋଡ଼ା ଥିବା ବେଳେ ଶିବସେନା ପାଖରେ ୫୬ ବିଧାୟକ ଅଛନ୍ତି। ଶରତ ପାୱାରଙ୍କ ଏନସିପି ଶିବସେନାକୁ ସମର୍ଥନ କରିଥିବା ବେଳେ ଏନସିପି ପାଖରେ ୫୪ ଆସନ ରହିଛି। ୪୪ ଆସନ ପାଇଥିବା କଂଗ୍ରେସ ଶିବସେନାକୁ ବାହ୍ୟ ସମର୍ଥନ ଦେବାକୁ ଆଜି ଘୋଷଣା କରିଥିବା ବେଳେ ତ୍ରିଦଳୀୟ ମିଳିତ ବିଧାୟକ ସଂଖ୍ୟା ୧୫୪ରେ ପହଞ୍ଚିଛି। ୧୫୪ ବିଧାୟକଙ୍କ ସମର୍ଥନରେ ଶିବସେନା ସରକାର ଗଠନ କରିବାକୁ ଯାଉଥିବା ବେଳେ ଏ ନୂଆ ସମୀକରଣ ବିଜେପି ପାଇଁ ବଡ଼ ଝଟକା ଆଣିଛି।

Comments are closed.