Odisha Link
Bridging the Missing Links in Odisha

ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ

କଟକ: ଆସନ୍ତାକାଲି ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି କରାଯାଉଛି। ବାଲିଯାତ୍ରା ପଡ଼ିଆରେ ଷ୍ଟଲ ନିର୍ମାଣ କାମ ଜାରି ରହିଥିବାବେଳେ କେତେଜଣ ବ୍ୟବସାୟୀ ଦୋଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ସେହିପରି ଅନ୍ୟସ୍ଥାନରେ ମଧ୍ୟ ବ୍ୟବସାୟୀମାନେ ପ୍ରସ୍ତୁତି ଜାରି ରଖିଛନ୍ତି। ଚଳିତବର୍ଷ ବାଲିଯାତ୍ରାରେ ପାଖାପାଖି ୧୫୦୦ ଷ୍ଟଲ୍‌ ବିକ୍ରି କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ରେ ବ୍ୟବସାୟ କରିବ ଓରମାସ୍‌। ଚଳିତବର୍ଷ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପ୍ରଶାସନ ରିକ୍ସା ବ୍ୟବହାର କରିବା ପାଇଁ ଅଣ୍ଟା ଭିଡ଼ିଛି।
ପ୍ରଶାସନ ରବିବାର ରେଡ୍‌କ୍ରସ୍‌ ସୋସାଇଟି ସହଯୋଗରେ ୫୦୦ରୁ ଊର୍ଦ୍ଧ୍ୱ ରିକ୍ସାଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବ୍ଲଡ୍‌ ଗ୍ରୁପ ଅନୁଯାୟୀ ପରିଚୟପତ୍ର ପ୍ରଦାନ କରିଥିଲା। ଏଥିସହ ସମସ୍ତ ରିକ୍ସାଚାଳକଙ୍କୁ ଡ୍ରେସ୍‌ ପ୍ରଦାନ ଏବଂ ବ୍ୟବହାରକୁ ନେଇ ଏକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରେଇ, ରେଡ୍‌କ୍ରସ୍‌ ସୋସାଇଟିର ଅଧିକାରୀ ଏବଂ ରିକ୍ସା ଆସୋସିଏଶନର ସମ୍ପାଦକଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହାକୁ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ସଂଯୋଜନା କରିଥିଲେ। ଅନ୍ୟପକ୍ଷରେ ବାଲିଯାତ୍ରା ସମୟରେ ରିକ୍ସାରେ ପରିଭ୍ରମଣ ନିମନ୍ତେ ସୋମବାର ସନ୍ଧ୍ୟା ସୁଦ୍ଧା ଦର ନିର୍ଦ୍ଧାରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଯାତ୍ରାରେ ପରିମଳ ଓ ବାସିଖାଦ୍ୟ ବିକ୍ରି ନ ହେବା ଉପରେ ପ୍ରଶାସନ ସହ କଟକ ମହାନଗର ନିଗମ (ସିଏମ୍‌ସି) ଗୁରୁତ୍ୱ ଦେଇଛି। ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବାଲିଯାତ୍ରାକୁ ପଲିଥିନମୁକ୍ତ କରାଯିବ। ବାସିଖାଦ୍ୟ ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ୬ ଜଣ ଫୁଡ୍‌ ସେଫ୍ଟି ଅଫିସରଙ୍କୁ ନିୟୋଜିତ କରାଯିବ। ସୋମବାର ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆରେ ସମସ୍ତ ବ୍ୟବସାୟୀଙ୍କୁ ନେଇ ଏକ ବୈଠକ କରାଯିବ। ଏଥିରେ ନୂତନ ଖାଦ୍ୟ ସୁରକ୍ଷା ଆଇନ, ପଲିଥିନ ବର୍ଜନ ଉପରେ ବ୍ୟବସାୟୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

Comments are closed.