Odisha Link
Bridging the Missing Links in Odisha

ଝାଡ଼ଖଣ୍ଡରେ ବିଜେପିକୁ ଧକ୍କା, ସହଯୋଗୀ ଏଲଜେପି କହିଲା…

ରାଞ୍ଚି: ସାରା ଦେଶକୁ ମହାରାଷ୍ଟ୍ର ରାଜନୀତି ହଲଚଲ କରିଥିବା ବେଳେ। ଏବେ ଝାଡ଼ଖଣ୍ଡ ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ର ନିର୍ବାଚନ ପରେ ସହଯୋଗୀ ଶିବସେନା ବିଜେପିକୁ ସାଇଡ୍ ମାରିଛି। ନଭେମ୍ୱର ୩୦ରୁ ୫ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ଏବେ ଆସନ ବୁଝାମଣାକୁ ନେଇ ବିଜେପି ସହ ମନାନ୍ତର ହେବାରୁ ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏବେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ସେହିପରି ଅନ୍ୟତମ ସହଯୋଗୀ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ (ଏଜେଏସୟୁ) ମଧ୍ୟ ବିଜେପି ସହ ଆସନ ବୁଝାମଣାକୁ ନେଇ ଅସନ୍ତୁଷ୍ଟ ରହିଛି। ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣାକୁ ନେଇ ବିବାଦ ଚାଲିଥିବା ବେଳେ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଳମ୍ୱ କରିଛି।

ମୋଟ୍ ୮୧ ବିଧାନସଭା ନିର୍ବାଚନ ଆସନରୁ ଏଲଜେପି ୫୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି। ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଏଲଜେପିର ନବନିଯୁକ୍ତ ଅଧ୍ୟକ୍ଷ ଚିରାଗ ପାଶଓ୍ୱାନ ଟୁଇଟ୍ କରି କହିଛନ୍ତି। ୨୦୧୪ରେ କିନ୍ତୁ ଏଲଜେପି ବିଜେପି ସହ ମିଶି ଏଠାରେ ନିର୍ବାଚନ ଲଢ଼ିଥିଲା। ମାତ୍ର ଗୋଟିଏ ଆସନରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲା ଏହି ଦଳ। ଚଳିତଥର ଏଲଜେପି ବିଜେପି ନିକଟରେ ୯ଟି ଆସନ ପାଇଁ ଦାବି କରିଥିଲା। ହେଲେ ବିଜେପି ମନା କରିଦେବା ପରେ ମେଣ୍ଟରୁ ଓହରି ୫୦ଟି ଆସନରେ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି।

ମୋଟ୍ ୮୧ ଆସନରୁ ବିଜେପି ରବିବାର ୫୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଏବେ ସହଯୋଗୀ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ ସହ ଆସନକୁ ନେଇ ବୁଝାମଣା କରୁଛି। ଯେମିତି, ଉଭୟ ଦଳଙ୍କ ପାଇଁ ଗ୍ରହଣୀୟ ହେବ। ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁରରୁ ପ୍ରାର୍ଥୀ ହୋଇଛନ୍ତି। ଗତଥର ବିଜେପି ୭୨ ଆସନରେ ପ୍ରାର୍ଥୀ ଦେଇ ୩୭ଟି ଆସନରେ ବିଜୟୀ ହୋଇଥିଲା।

ସେହିପରି ରାଜ୍ୟରେ ତିନି ଦଳ କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ମେଣ୍ଟ କରିଛନ୍ତି। କଂଗ୍ରେସ ୩୧ଟି ଆସନ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୪୩ ଓ ବାକି ଆସନରେ ଆରଜେଡି ଲଢ଼ିବ ବୋଲି ଜଣାପଡ଼ିଛି। ୨୦୧୪ରେ ଝାଡ଼ଖଣ୍ଡ ଜେଏମଏମ ୧୯ଟି, କଂଗ୍ରେସ ୬୨ଟି ଆସନରେ ପ୍ରାର୍ଥୀ ଦେଇ ୬ଟି ଆସନରେ ଜିତିଥିବା ବେଳେ ଆରଜେଡି ପ୍ରାର୍ଥୀ କୌଣସି ଆସନରେ ବିଜୟୀ ହୋଇପାରିନଥିଲେ।

Comments are closed.