କର୍ଣ୍ଣାଟକ: ଅଯୋଗ୍ୟ ବିଧାୟକଙ୍କୁ ପ୍ରାର୍ଥୀ କଲା ବିଜେପି

ବେଙ୍ଗାଲୁରୁ: ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କୁ ସୁପ୍ରିମକୋର୍ଟ ଉପ ନିର୍ବାଚନ ଲଢ଼ିବାକୁ ଗତକାଲି ଅନୁମତି ଦେଇଥିଲେ। ତେବେ ଆଜି ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଟିକେଟ ଦେଇଛି ବିଜେପି। ଡିସେମ୍ବର ୫ରେ ଫାଙ୍କା ପଡ଼ିଥିବା ୧୭ଟି ଆସନରୁ ୧୫ଟି ସ୍ଥାନରେ ଉପ ନିର୍ବାଚନ ହେବ।
ତେବେ ଏହି ୧୫ଟି ଆସନରୁ ବିଜେପି ଅଯୋଗ୍ୟ ଘୋଷିତ ହୋଇଥିବା ୧୩ ଜଣ କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କୁ ଟିକେଟ ଦେଇଛି। ଆଜି ବିଜେପି ୧୫ଟି ଆସନ ମଧ୍ୟରୁ ୧୩ଟି ସ୍ଥାନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଆଉ ଦୁଇଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।
କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ବିରୋଧରେ ବିଦ୍ରୋହ ଘୋଷଣା କରି ୧୭ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଆସ୍ଥା ଭୋଟରେ ପରାସ୍ତ କରିଥିଲେ। ଏଥିପାଇଁ ଏମାନଙ୍କୁ ତତ୍କାଳୀନ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଏମାନଙ୍କୁ ଗତକାଲି ଉପ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଛନ୍ତି। ଏହାପରେ ଏମାନଙ୍କ ମଧ୍ୟରୁ ୧୬ ଜଣ ଗତକାଲି ବିଜେପିରେ ସାମିଲ ହୋଇଥିଲେ। ଆଜି ଏହି ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ଦଳ ୧୩ ଜଣଙ୍କୁ ଟିକେଟ ଦେଇଛି।