Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ବିନା ବିଜେପିରେ ସରକାର ଅସମ୍ଭବ: ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ଜମୁଛି ବୟାନ ବାଜି ରାଜନୀତି। ଦିନକୁ ଦିନ ରୋଚକ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ ସରାକର ଗଠନ କରିବା ପାଇଁ ନିଜ ନିଜ ଦମ୍‌ ଦେଖାଉଛନ୍ତି ପ୍ରମୁଖ ରାଜନୈତିକ ଦଳ। ଗୋଟିଏ ପଟେ ଶିବସେନା-କଂଗ୍ରେସ ଓ ଏନସିପି ସରକାର ଗଠନ ପାଇଁ ପ୍ରାୟସ ଚଳାଇଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ସରକାର ଗଠନ ପାଇଁ ନିଜର ଦମ୍ଭୋକ୍ତି ପ୍ରକାଶ କରିଛି।

ବିଜେପି ୧୦୫ ଆସନ ଜିତିଥିବାରୁ ରାଜ୍ୟପାଳ ପ୍ରଥମେ ଏହି ଦଳକୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଡାକିଥିଲେ। ହେଲେ ମ୍ୟାଜିକ ନମ୍ବର ୧୪୫ ଠାରୁ ଦଳ ବହୁ ପଛରେ ରହିଥିବାରୁ ସରକାର ଗଠନ ପାଇଁ ଅନିଚ୍ଛା ପ୍ରକାଶ କରିଥିଲା। ହେଲେ ଶିବସେନା-କଂଗ୍ରେସ ଓ ଏନସିପି ସରକାର ଗଠନ ପାଇଁ ଏକାଠି ହେଉଥିବା ବେଳେ ବିଜେପି ନୂଆ ବୟାନ ଦେଇଛି।

ବିଜେପି ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ବୟାନ ମହାରାଷ୍ଟ‌ର ରାଜନତିରେ ନୂଆ ମୋଡ ଆଣିଛି। ସେ କହିଛନ୍ତି, “ଆମ ପାଖରେ ସର୍ବାଧିକ ବିଧାୟକ ରହିଛନ୍ତି। ୧୧୯ ବିଧାୟକଙ୍କ ସମର୍ଥନରେ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବ। ଦେବେନ୍ଦ୍ର ଫଡନାଭିସ ସରକାର ଗଠନ ପାଇଁ ପ୍ରକ୍ରିୟା ଜାରି ରଖିଥିବା ଦଳର ବରିଷ୍ଠ ନେତାଙ୍କ ଆଗରେ କହିଛନ୍ତି। ଆମର ବି ତାଙ୍କ ଉପରେ ବିଶ୍ୱାସ ରହିଛି। ଆମେ ସର୍ବଦା ଏକ ସ୍ଥିର ସରକାର ରାଜ୍ୟରେ ଦେବାକୁ ଚେଷ୍ଟା କରିବୁ। ବିଜେପି ବିନା ମହାରାଷ୍ଟ୍ରରେ ସରକାର ଗଠନ ଅସମ୍ଭବ।”

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବ ବୋଲି କହିଛନ୍ତି। ସେ କହିଛନ୍ତି, “କ୍ରିକେଟ ଓ ରାଜନୀତିରେ ସବୁ କିଛି ସମ୍ଭବ। ଗୋଟିଏ ସମୟରେ ଆପଣ ଭାବୁଥିବେ ମ୍ୟାଚ୍ ଆମେ ହାରିଯିବୁ, ହେଲେ ଏହାର ଠିକ୍ ବିପରୀତ ଘଟଣା ଘଟେ। ତେଣୁ ମହାରାଷ୍ଟ୍ରରେ କିଛି ବି ଘଟିପାରେ। ସମସ୍ତେ ଏହାକୁ ଅପେକ୍ଷା କରନ୍ତୁ।”

Comments are closed.