ବୁଲବୁଲ ସମୀକ୍ଷା: କେନ୍ଦ୍ରକୁ କ୍ଷୟକ୍ଷତି ଦାବି ପତ୍ର ଦେବ ରାଜ୍ୟ, ନଷ୍ଟ ହୋଇଛି ୨ଲକ୍ଷ ହେକ୍ଟର ଚାଷ ଜମି

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ହୋଇଛି ‘ବୁଲବୁଲ’ସମୀକ୍ଷା। ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠିଙ୍କ ସହ ବାତ୍ୟା ବୁଲବୁଲ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖି ସାରିବା ପରେ ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍। ବୈଠକ ପରେ କେନ୍ଦ୍ରୀୟ ଟିମ କହିଛନ୍ତି କି, ୪ଟି ଜିଲ୍ଲାର କୃଷି କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି । ଏପରିକି ଅନ୍ୟାନ୍ୟ କ୍ଷେତ୍ର ଯଥା- ଶିଳ୍ପ ଏବଂ ବିଦ୍ୟୁତ୍ ସରବରାହ କ୍ଷେତ୍ରରେ ମଧ୍ୟ କ୍ଷତି ହୋଇଥିବା ଅନୁଧ୍ୟାନ କରିଛୁ। ରାଜ୍ୟ ସରକାରଙ୍କ ତରଫରୁ ହସ୍ତଗତ ହୋଇଥିବା ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବୁ।
ସେପଟେ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ କୁମାର ଜେନା କହିଛନ୍ତି କି, ବାତ୍ୟା ‘ବୁଲବୁଲ୍’ରେ ପ୍ରଭାବିତ ହୋଇଥିବା ଜିଲ୍ଲାର ୨ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ତେଣୁ ଆସନ୍ତା ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ରକୁ କ୍ଷୟକ୍ଷତିର ଦାବି ପତ୍ର ଦିଆଯିବ। ଏବଂ ପ୍ରାଥମିକ ଆକଳନ ହେବା ପରେ ପରେ ପଞ୍ଚାୟତ ଅଫିସରେ ତାଲିକା ମରାଯିବ। ୭ ଦିନ ପାଇଁ ବାତ୍ୟା ବୁଲବୁଲ ନେଇ ଅଭିଯୋଗ ଶୁଣାଣି ସମୟ ରହିବ। ଆଉ ଅଭିଯୋଗର ତଦନ୍ତ ୭ ଦିନ ପରେ ଚୂଡ଼ାନ୍ତ ତାଲିକା ପଞ୍ଚାୟତ ଅଫିସ ବୋର୍ଡରେ ମରାଯିବା ସହ ୱେବସାଇଟରେ ଛଡ଼ାଯିବ ଚୂଡ଼ାନ୍ତ ତାଲିକା ବୋଲି କହିଛନ୍ତି ଏସଆରସି।
‘ବୁଲବୁଲ’ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଏବଂ ପ୍ରଭାବିତ ଅଞ୍ଚଳ ପାଇଁ ଉଚିତ୍ ପଦକ୍ଷେପ ପାଇଁ ରାଜ୍ୟ ସରକାର ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ରୟ ଟିମ୍ କହିଛନ୍ତି। ତେବେ ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜନଗରରେ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ରାଜନଗର ବ୍ଲକର ତାଳଚୁଆ, ରଙ୍ଗଣୀ, ବାଘମାରି ପଂଚାୟତ ବୁଲି ଲୋକଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବା ସହ କେନ୍ଦ୍ରୀୟ ଟିମ ୨ଟି ଭାଗ ହୋଇ ୪ ପ୍ରଭାବିତ ଜିଲ୍ଲା ବୁଲିଛନ୍ତି।