Odisha Link
Bridging the Missing Links in Odisha

ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର : ଜାତୀୟ ପ୍ରେସ୍‌ ଦିବସ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନର ପ୍ରାୟ ୨୦ଟିରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆକାଂକ୍ଷା ମହାପାତ୍ର ପ୍ରଥମ, ଏସ୍‌ସିବି ମେଡିକାଲ୍‌ କଲେଜର ପ୍ରୀତିମାନ୍‌ ମିଶ୍ର ଦ୍ୱିତୀୟ ଏବଂ ଓଡ଼ିଶା କୃଷି ଓ ବୈଷିୟକ ବିଶ୍ୱବିଦ୍ୟାଳୟର ଦିବ୍ୟସ୍ୱରୂପା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ମଧୁସୂଦନ ଆଇନ ମହାବିଦ୍ୟାଳୟର ଅମିତ କୁମାର ଦେବନାଥ ପ୍ରଥମ,ରାମଦେବୀ ମହିଳା ବିଶ୍ୱବିଦ୍ୟାଳୟର ପଲ୍ଲବିତା ସାହୁ ଦ୍ୱିତୀୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଶ୍ୱରଞ୍ଜନ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ ’ର ସଂ ପାଦକ ଡ. ଲେନିନ୍‌ ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଡ.ସନ୍ତୋଷ ତ୍ରିପାଠୀ, ବରିଷ୍ଠ ସାଞ୍ଚାଦିକ ଡ. ଅଶୋକ ଚନ୍ଦ୍ର ପଣ୍ଡା, ଗୁରୁକଲ୍ୟାଣ ମହାପାତ୍ର ଓ ଦିଳ୍ଲୀପ ବିଶୋୟୀ ବିଚାରକ ଭାବରେ ଯୋଗଦେଇଥିବାବେଳେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁଭାଷ ସୂପକାର ଉପସ୍ଥିତ ଥିଲେ । ବରିଷ୍ଠ ସୂଚନା ଅଧିକାରୀ ସୂର୍ଯ୍ୟରଞ୍ଜନ ମହାନ୍ତି, ସହକାରୀ ନିର୍ଦ୍ଦେଶକ (ରଚନା) ବିଶ୍ୱଜିତ ଦାଶ, ସହକାରୀ ସୂଚନା ଅଧିକାରୀ ସୁଜିତ ସ୍ୱାଇଁ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ ।

୧୬ ତାରିଖ ଶନିବାର ପୂର୍ବାହ୍ନ ୧୧ଟାରେ ଗୀତଗୋବିନ୍ଦ ସଦନଠାରେ ବିଭାଗ ପକ୍ଷରୁ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିବେ ।

Comments are closed.