ଜଷ୍ଟିସ ଗୋଗୋଇଙ୍କୁ ଅବସର ପରେ z+ ସୁରକ୍ଷା

ନୂଆଦିଲ୍ଲୀ: ଆଉ ଦିନକ ପରେ ଅର୍ଥାତ୍ ଆସନ୍ତାକାଲି ଅବସର ଗ୍ରହଣ କରିବେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଅବସର ପରେ ସେ ଆସାମରେ ରହିବେ ବୋଲି ଜଣାପଡ଼ିଛି। ଏହି ସମୟରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ। ଗତ ୯ ତାରିଖରେ ଦେଶର ଦୀର୍ଘ ବର୍ଷ ତଳର ପୁରୁଣା ମାମଲା ଅଯୋଧ୍ୟା ପ୍ରସଙ୍ଗରେ ଚୂଡାନ୍ତ ରାୟ ଦେବାରେ ସଫଳ ହୋଇଥିଲେ ଜଷ୍ଟିସ ଗୋଗୋଇ। ଜଷ୍ଟିସ ଗୋଗୋଇ ଚୂଡ଼ାନ୍ତ ରାୟ ଶୁଣାଇବା ପୂର୍ବରୁ ଏହି ମାମଲା ସହ ଜଡ଼ିତ ଥିବା ଅନ୍ୟ ୪ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଥିଲା। ଆସାମ ପୁଲିସ ଜଷ୍ଟିସ ଗୋଗୋଇଙ୍କ ଦିବ୍ରୁଗଡ଼ ସ୍ଥିତ ପୈତୃକ ବାସଭବନ ଏବଂ ଗୁଆହାଟୀରେ ଥିବା ଦ୍ୱିତୀୟ ଘରର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛି।
ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଜଷ୍ଚିସ ଗୋଗୋଇଙ୍କ ସୁରକ୍ଷା ଜେଡ଼ ପ୍ଲସ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ରହିଛି। ଜଷ୍ଟିସ ଗୋଗୋଇ ଅବସର ପରେ ଗୁଆହାଟୀରେ ରହିବାକୁ ଯାଉଛନ୍ତି। ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥା ଏବେ କଡ଼ାକଡ଼ି କରାଯାଉଛି। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହି ଜେଡ ପ୍ଲସ ଶ୍ରେଣୀ ସୁରକ୍ଷା ବଳୟରେ ରୁହନ୍ତି।
Comments are closed.