Odisha Link
Bridging the Missing Links in Odisha

ବିଧାନସଭା: ଓଡ଼ିଶା କେବେ ମଦମୁକ୍ତ ହେବ ବୋଲି ପ୍ରଶ୍ନ କଲେ ଶାସକଦଳ ବିଧାୟକ

ଭୁବନେଶ୍ବର: ଗୋଟିଏ ପଟେ ସରକାର ମଦ ବିକ୍ରି ବୃଦ୍ଧି କରି ମୋଟା ଅଙ୍କର ରାଜସ୍ୱ ଆଦାୟ ପାଇଁ ଯୋଜନା କରୁଥିବା ବେଳେ ମଦମୁକ୍ତ ଓଡ଼ିଶା ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଖୋଦ୍ ବିଜୁ ଜନତା ଦଳ ବିଧାୟକ। ଏପରିକି ମଦକୁ ନେଇ ରାଜ୍ୟ ରାଜନୀତି ସର୍ବଦା ସରଗରମ ରହିଥାଏ।

ଆଜି ବିଧାନସଭା ପ୍ରଶ୍ନକାଳରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମଦ ବିକ୍ରି ନେଇ ପ୍ରଶ୍ନ ରଖିଛନ୍ତି ପୂର୍ବତନ ମେୟର ତଥା ଭୁବନେଶ୍ବର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ସେ ୨୦୧୮-୧୯ ବର୍ଷରେ ଅବକାରୀ ରାଜସ୍ୱ କେତେ ମିଳିଥିଲା ବୋଲି ପ୍ରଶ୍ନ କରିବା ସହ ଚଳିତ ଆର୍ଥିକ ବର୍ଷରେ କେତେ ରାଜସ୍ୱ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି ଜାଣିବାକୁ ଚାହିଁଛନ୍ତି।

ଏଥିସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ମଦମୁକ୍ତ କରିବା ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନନ୍ତ ନାରାୟଣ ଜେନା। ଏହାସଙ୍ଗେ ରାଜଧାନୀ ଭୁବନେଶ୍ବରରେ କେତେଗୋଟି ବିଦେଶୀ ମଦ ଦୋକାନ ଓ କେତେଗୋଟି ଦେଶୀ ମଦ ଦୋକାନ ଅଛି ଏବଂ ସେହି ଦୋକାନ ମାନଙ୍କର ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସରକାର କେତେ ରାଜସ୍ବ ପାଇଥିଲେ ତାହା ଜାଣିବା ପାଇଁ ପ୍ରଶ୍ନ କରିଛନ୍ତି ଅନନ୍ତ ନାରାୟଣ ଜେନା।

Comments are closed.