ଅଯୋଧ୍ୟା ଗସ୍ତ ବାତିଲ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନରେ ଅନିଶ୍ଚିତତା ଲାଗି ରହିଛି। କିଏ ଗଢ଼ିବ ସରକାର ଏନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରି ଦେଇଛନ୍ତି। ସେ ଆସନ୍ତା ୨୪ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବାର ଥିଲା। କିନ୍ତୁ ଆଜି ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି।
ଶିବସେନାର ଜଣେ ନେତା କହିଛନ୍ତି, “ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବିତ ହେଉଛି। ଏନସିପି-କଂଗ୍ରେସ ଓ ଶିବସେନାର ନେତାମାନେ ଏହାକୁ ନେଇ ଘନଘନ ବୈଠକ କରୁଛନ୍ତି। ସମସ୍ତେ ମିଳିତ ଭାବେ ସରକାର ଗଠନ ଦିଗରେ ଅଗ୍ରସର ହେଉଛନ୍ତି। ଏହାକୁ ଦୃଷ୍ଟିରରେ ଉଦ୍ଧବ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତକୁ ସ୍ଥଗିତ ରଖିଛନ୍ତି। ସେହିପରି ସୁରକ୍ଷାକର୍ମୀମାନେ ମଧ୍ୟ ରାଜନୀତିକ ଦଳର ନେତାଙ୍କୁ ଅଯୋଧ୍ୟା ଯିବାକୁ ବାରଣ କରିଛନ୍ତି।”
ସୂଚନାଯୋଗ୍ୟ, ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଗତ ୯ ତାରିଖରେ ରାୟ ପ୍ରକାଶ କରିଥିଲେ। ଏହାପରେ ଉଦ୍ଧବ ୨୪ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବେ ବୋଲି ଘୋଷଣା କରିଥିଲେ।