ମାର୍ଶାଲଙ୍କ ପୋଷାକକୁ ନେଇ ବିବାଦ, ଭେଙ୍କୟା ନାଇଡୁ କହିଲେ..

ନୂଆଦିଲ୍ଲୀ: ଗତକାଲି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅନ୍ୟପଟେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ଥିବା ମାର୍ଶାଲ ମାନେ ସୁରକ୍ଷାକର୍ମୀଙ୍କ ପୋଷାକ ପନ୍ଧିଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ବିବାଦ ଦେଖାଯାଇଛି। ପଗଡ଼ି ଛାଡ଼ି ଟୋପି ଓ ଭାରତୀୟ ସଂସ୍କୃତି ପରମ୍ପରା ଖଚିତ ପୋଷାକ ଛାଡ଼ି ରାଜ୍ୟସଭାର ମାର୍ଶାଲ ସୁରକ୍ଷାକର୍ମୀଙ୍କ ଭଳି ଡ୍ରେସ ପିନ୍ଧିବା ଘଟଣାକୁ ଅନେକ ପ୍ରଶ୍ନ ଉଠାଇଛନ୍ତି।
ହଠାତ୍ ମାର୍ଶାଲମାନଙ୍କ ଡ୍ରେସ କାହିଁକି ଏଭଳି ସୁରକ୍ଷାକର୍ମୀଙ୍କ ପୋଷାକ ଭଳି ହେଲା, ତା’କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ବିବାଦ ବଢ଼ିବାରୁ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏହି ନୂଆ ଡ୍ରେସ୍ କୋଡ୍ର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଭେଙ୍କୟା କହିଥିଲେ ଯେ “ମାର୍ଶାଲଙ୍କ ନୂଆ ଡ୍ରେସ ସମ୍ପର୍କରେ ମୁଁ କିଛି ରାଜନୀତିକ ନେତା ଓ ବୃଦ୍ଧିଜୀବୀଙ୍କ ମତାମତ ପାଇଛି। ତେଣୁ ରାଜ୍ୟସଭା ସଚିବ ଏବେ ନୂଆ ଡ୍ରେସକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ସମାଲୋଚନାର ସମୀକ୍ଷା କରିବାକୁ ମୁଁ ନିର୍ଦ୍ଦେଶ ଦେଉଛି। ସେ ସବୁ ଜିନିଷକୁ ସମୀକ୍ଷା କରିବା ପରେ ଡ୍ରେସ କୋଡ୍ ବାବଦରେ ମୋତେ ଜଣାଇବେ।” ମାର୍ଶାଲ ପ୍ରତିରକ୍ଷା କ୍ଷେତ୍ରର କର୍ମଚାରୀ ହୋଇ ନଥିବା ବେଳେ ସେ ସୁରକ୍ଷାକର୍ମୀଙ୍କ ଭଳି ପୋଷାକ ପରିଧାନ କରିବା ବେଆଇନ୍ ବୋଲି ଅନେକ ମତ ଦେଇଛନ୍ତି।