Odisha Link
Bridging the Missing Links in Odisha

ସ୍ବଛ ଭାରତ ସର୍ବେକ୍ଷଣ: ସବୁଠାରୁ ଅପରିଷ୍କାର ଜିଲ୍ଲା ବୌଦ୍ଧ

ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ବର୍ଷ ତଳେ ଭାରତରେ ଆରମ୍ଭ ହୋଇଥିଲା ସ୍ଵଛ ଭାରତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିକଟରେ ଏକ ସର୍ଭେ କରାଯାଇଛି। ଏଥିପାଇଁ ସରକାର ସ୍ବଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୧୯ ସର୍ଭେ କରିଥିଲେ। ଏହି ସର୍ଭେ ଦେଶର ୬୮୩ ଜିଲ୍ଲା ଏବଂ ୧୭,୨୦୯ ଗ୍ରାମରେ କରାଯାଇଥିଲା। ଏହାରି ମଧ୍ୟରେ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯାହା ଓଡ଼ିଶା ପାଇଁ ଚିନ୍ତାର ବିଷୟ।

ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଖରାପ ବୋଲି ଜଣାପଡ଼ିଛି। କେନ୍ଦ୍ର ଜଳ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ସ୍ୱଚ୍ଛତା ଦୃଷ୍ଟିରୁ ଦେଶରେ ଯେତେ ଖରାପ ଜିଲ୍ଲା ଅଛି, ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଜିଲ୍ଲା ରହିଛନ୍ତି। ସବା ତଳ ୨୫ ଜିଲ୍ଲା ଭିତରେ ଓଡ଼ିଶାର ୧୨ଟି ଜିଲ୍ଲା ରହିଥିବା କଥା ଏହି ସର୍ଭେରୁ ଜଣାପଡ଼ିଛି।

ସର୍ବେକ୍ଷଣ ଅନୁସାରେ ଦେଶର ସବୁ ଯାକ ଜିଲ୍ଲା ଭିତରେ ସବୁଠୁ ଖରାପ ହେଉଛି ଓଡ଼ିଶାର ବୌଦ୍ଧ ଜିଲ୍ଲା। ଅର୍ଥାତ ଏହା ହେଉଛି ସବୁଠାରୁ ଅପରିଷ୍କାର ଜିଲ୍ଲା। ସର୍ଭେ ଅଙ୍କ ଅନୁସାରେ ବୌଦ୍ଧର ସ୍କୋର ହେଉଛି ୬୮୩। ତା’ ଉପରକୁ ରହିଛି ଝାରସୁଗୁଡ଼ା (୬୮୧) ଓ ପୁରୀ (୬୭୯)।

ଅନ୍ୟ ପକ୍ଷରେ ସ୍ବଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୧୯ ସର୍ଭେ ଅନୁଯାୟୀ ତାମିଲନାଡୁ ହେଉଛି ସ୍ଵଛ ଅଭିଯାନରେ ଭାରତର ସର୍ବଶ୍ରେଷ୍ଠ ରାଜ୍ୟ। ଏହାର ୨୫ ଜିଲ୍ଲା ଭିତରୁ ୮ଟି ଜିଲ୍ଲା ଉପରେ ରହିଛନ୍ତି। ଦେଶର ସମସ୍ତ ୬୮୩ ଜିଲ୍ଲାର ୧୭୨୦୯ ଗାଁକୁ ନେଇ ଏହି ସର୍ଭେ କରାଯାଇଥିଲା। ଜନସାଧାରଣଙ୍କ ମତ, ସିଧାସଳଖ ଅନୁଧ୍ୟାନ ଓ ସେବା ପ୍ରଦାନର ସ୍ଥିତିକୁ ନେଇ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

Comments are closed.