Odisha Link
Bridging the Missing Links in Odisha

ଶିଳ୍ପର ବିକାଶ ପାଇଁ ଓଡିଶା ଏହାର ଭିତ୍ତିଭୂମିକୁ ସୁଦୃଢ କରିଛି – ରଘୁନନ୍ଦନ

ନୂଆଦିଲ୍ଲୀ : ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା -୨୦୧୯ ଉପଲକ୍ଷେ ସଂଧ୍ୟାରେ ଓଡିଶାର ସୂଚନା ଓ ଲୋକ ସଂପର୍କ ଏବଂ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ନୂଆ ଦିଲ୍ଲୀସ୍ଥିତ ଓଡିଶା ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓଡିଶାର ଶିଳ୍ପ, କଳା, ସଂସ୍କୃତି, ପର୍ଯ୍ୟଟନ, ବାଣିଜ୍ୟ ଓ ରାଜ୍ୟ ସରକାର ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଦାସ କହିଲେ ଯେ, ଓଡିଶାରେ ଶିଳ୍ପାୟନ ପାଇଁ ବ୍ୟାପକ ସୁଯୋଗ ରହିଛି ।

ଏଥିପାଇଁ ରାଜ୍ୟ ସରକାର ଶିଳ୍ପାନୁକୂଳ ବାତାବରଣ ସହିତ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିଛନ୍ତି । ମେକ୍ ଇନ୍ ଓଡିଶା ଆୟୋଜନ ପୂର୍ବକ ଓଡିଶାକୁ ବିପୁଳ ପୁଂଜି ନିବେଶର ପ୍ରତିଶ୍ରୁତି ମିଳିଛି । ଏହାକୁ ପୁରଣ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ପ୍ରଦାନ କରୁଛନ୍ତି ଓ ସମସ୍ତଙ୍କ ସହଯୋଗ କାମନା କରୁଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ବାଣିଜ୍ୟମେଳାର ଯେଉଁ ଥିମ୍ ରହିଛି ତାହା ହେଉଛି “ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍” । ଏହାକୁ ଆଧାର କରି ମେଳାରେ ଓଡିଶା ମଣ୍ଡପକୁ ସଫଳ ଭାବେ ଉପସ୍ଥାପିତ କରାଯାଇଛି ।

ଓଡିଶାର ସର୍ବାଙ୍ଗୀନ ଉନ୍ନତିକୁ ଆଖି ଆଗରେ ରଖି ରାଜ୍ୟ ପ୍ରଶାସନ ଅଗ୍ରାଧିକାର ଦେଉଥିବା ୫-ଟିର ପ୍ରୟୋଗ ଜରିଆରେ ବିକାଶର ଧାରା ଆଜି ତ୍ୱରାନ୍ୱିତ ହୋଇଛି । ନୂତନ ଓଡିଶା ଗଠନ ପାଇଁ ସମସ୍ତଙ୍କର ସହଯୋଗ ଲୋଡାଯାଉଛି । ଗରିବ ଏବଂ ସମାଜର ଶେଷ ଧାଡିରେ ଥିବା ସାଧାରଣ ଲୋକ ଯେପରି ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେବେ ନାହିଁ , ସେଥିପ୍ରତି ଦୃଷ୍ଟି ଦେଇ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ ଦାସ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ନଭେମ୍ବର ୨୧ରେ ପ୍ରଗତିମୈଦାନର ହଂସଧ୍ୱନୀ ଥିଏଟରଠାରେ ଓଡିଶା ରାଜ୍ୟ ଦିବସ ପାଳନ ପରିପ୍ରେକ୍ଷୀରେ ଓଡିଶାର ସମୃଦ୍ଧ କଳା , ସଂସ୍କୃତିକୁ ରାଜ୍ୟର ସ୍ୱନାମଧନ୍ୟ କଳାକାରମାନେ ଦ୍ୱାରା ପରିବେଷଣ କରାଯିବ ।

ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ ଉନ୍ମୋଚନ କରାଯିବ । ପ୍ରକାଶ ଥାଉକି, ପ୍ରଗତି ମୈଦାନରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି ମେଳା ଚଳିତମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡିଶା ମଣ୍ଡପରେ ସୂଚନା ଓ ଲୋକ ସଂପର୍କ ବିଭାଗ ସମେତ ରାଜ୍ୟର ବିଭିନ୍ନ ବିଭାଗ ତରଫରୁ ରାଜ୍ୟର ଶିଳ୍ପ, କଳା, ସଂସ୍କୃତି , ପର୍ଯ୍ୟଟନ ଆଦି ପ୍ରଦର୍ଶିତ ହେଉଛି ।

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଂଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ବିପିନି ବିହାରୀ ବାରିକି, ଉପନିର୍ଦ୍ଦେଶକ ରବୀନ୍ଦ୍ର କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ନୂଆଦିଲ୍ଲୀର ବହୁ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇ ବାଣିଜ୍ୟ ମେଳା ସମ୍ପର୍କରେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସମ୍ମିଳନୀ ପରେ ଗଣମାଧ୍ୟମ ପ୍ରତିନିଧି, ମାନ୍ୟବର ସାଂସଦ ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଆ ବରିଷ୍ଠ ପଦାଧିକାରୀମାଙ୍କୁ ନେଇ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା ।

Comments are closed.