ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ

ମହାରାଷ୍ଟ୍ର: ମହାରାଷ୍ଟ୍ର ମାମଲାରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଆସନ୍ତା କାଲି ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟରେ ସିକ୍ରେଟ ବାଲାଟ ବ୍ୟବହାର ନ ହେବା ପାଇଁ ମଧ୍ୟ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ। ଏହି ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ କରାଯିବ। ପ୍ରୋ- ଟେମ୍ ବାଚସ୍ପତିଙ୍କ ଦ୍ବାରା ଫ୍ଲୋର ଟେଷ୍ଟ କରିବାକୁ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ। ପ୍ରୋ- ଟେମ୍ ବାଚସ୍ପତି ନବନିର୍ବାଚିତ ସଦସ୍ୟଙ୍କୁ ଶପଥ କରାଇବେ। ସଦସ୍ୟଙ୍କ ଶପଥ ପାଠ ପରେ ଫ୍ଲୋର ଟେଷ୍ଟ କରାଯିବ।
ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶରଦ ପାୱାର-ଠାକରେଙ୍କୁ ଚକମା ଦେବାପରେ ବିଜେପି ସରକାର ଗଠନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ନେଇ ସୁପ୍ରିମ କୋର୍ଟ ଜରୁରିକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିଥିଲେ ମଧ୍ୟ ଗତକାଲି କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ।
ବିନା ସଂଖ୍ୟାଗରିଷ୍ଠତାରେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଏହାକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସ ସର୍ବୋଚ୍ଚ ଅଦାଲତକୁ ଯାଇଥିଲେ। ବିଧାନସଭାରେ ତୁରନ୍ତ ବହୁମତ ପରୀକ୍ଷା ପାଇଁ ଦାବି କରି ଏହି ୩ ଦଳ ଆବେଦନ କରିଥିଲେ। କୋର୍ଟର ତିନି ଜଣିଆ ଖଣ୍ଡପୀଠ ଗତକାଲି ୮୦ ମିନିଟ୍ ଧରି ମାମଲାର ଶୁଣାଣି କରିବା ପରେ ରାୟ ମଙ୍ଗଳବାର ଶୁଣାଇବେ ବୋଲି କହିଥିଲେ।