Odisha Link
Bridging the Missing Links in Odisha

‘ ପଣ୍ଡିତ ନୀଳକଂଠଙ୍କ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ କ୍ଲାସିକ୍‌ ମର୍ଯ୍ୟାଦାର ଗ୍ରନ୍ଥ’ : ବସନ୍ତ

ଭୁବନେଶ୍ୱର: ପ୍ରସିଦ୍ଧ ସାହିତି୍ୟକ, ଶିକ୍ଷାବିତ୍‌, ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ରେ ସାହିତ୍ୟକୁ ସମାଜ ବିକାଶର ପ୍ରକାଶ ଭାବରେ କଳନା କରାଯାଇଛି । ସମାଜର ଚଳଣି, ଚାହାଣି ଓ ଚମକର ବ୍ୟାଖ୍ୟାନ ପୂର୍ବକ ସମାଜ ଏବଂ ସଭ୍ୟତାର ଧାର୍ମିକ, ସାଂସ୍କୃତିକ ତଥା ଐତିହାସିକ ବିବର୍ତ୍ତନକୁ ଲେଖକ ସୂକ୍ଷ୍ମ ଭାବରେ ଅନୁଶୀଳନ କରିଛନ୍ତି ।

ଏହି ପୁସ୍ତକରେ ପଣ୍ଡିତ ନୀଳକଂଠଙ୍କ ପାଣ୍ଡିତ୍ୟ, ବହୁଶାସ୍ତ୍ରଦର୍ଶିତା, ସଂଭ୍ରାନ୍ତ ଶୈଳୀ, ଅସାଧାରଣ ବିଦ୍‌ବତ୍ତା ଓ ବିଶ୍ଳେଷଣଦକ୍ଷତା ପ୍ରମାଣିତ ହୋଇ ପୁସ୍ତକଟିକୁ କ୍ଲାସିକ୍‌ ମର୍ଯ୍ୟାଦାର ପ୍ରଦାନ କରିଛି ବୋଲି ବିଶିଷ୍ଟ ଗବେଷକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ‘ ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ପଣ୍ଡା ପଣ୍ଡିତ ନୀଳକଂଠଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ ପୁସ୍ତକର ଆଲୋଚନା ପୂର୍ବକ କହିଛନ୍ତି ଯେ ଏଥିରେ ଆହରଣ ପୁଷ୍ଟ ଓଡ଼ିଆ ସଂସ୍କୃତି କି ପରି ନିଜର ମୌଳିକତା ବଜାୟ ରଖି ଅସାମାନ୍ୟ ହୋଇ ପାରିଛି ତାହା ଦର୍ଶାଯାଇଛି ।

ସାରଳା ମହାଭାରତର ବିଭିନ୍ନ ରୂ ପକଥାର ଉଦାହରଣ ଓ ରାଜା ଇନ୍ଦଦ୍ୟୁମ୍ନଙ୍କ ବରମଗା କାହାଣୀରେ ଆମ ଜାତିର ବୈଶିଷ୍ଟ୍ୟ ପ୍ରତିଷ୍ଠିତ ହୋଇଥିବା କଥା ଲେଖକ ଦର୍ଶାଇଛନ୍ତି । ସହଜିଆ, ବୌଦ୍ଧ ଓ
ଗୌଡ଼ୀୟ ବୈଷ୍ଣବମାନଙ୍କ ପ୍ରଭାବରେ ଓଡ଼ିଆ ସଂସ୍କୃତି କି ପରି କଳୁଷିତ ହୋଇଥିଲା, ଲେଖକ ତା’ର କ୍ରୁର ସମାଲୋଚନା କରିଛନ୍ତି ବୋଲି ଉଲ୍ଲେଖ କରି ଡ. ପଣ୍ଡା ଏହାକୁ ଏକ ଅନନ୍ୟ ଗ୍ରନ୍ଥ ଭାବରେ ଅଭିହିତ କରିଥିଲେ ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ବିଦ୍ୱାନ ପ୍ରଫେସର ରାଜକିଶୋର ମିଶ୍ର ପୈରୋହତ୍ୟ କରିଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ ପଣ୍ଡିତ ନୀଳକଣ୍ଠଙ୍କ ସାରସ୍ୱତ ଅବଦାନ ଓ ଅନନ୍ୟ ପାଣ୍ଡିତ୍ୟର ତୁଳନା ନାହିଁ ବୋଲି କହିଥିଲେ ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ତମସାରାଣୀ ଦାସମହା ପାତ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଇନ୍ଦ୍ରମଣି ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଲେଖକ, ବୁଦ୍ଧିଜୀବୀ, ଗବେଷକ, ସାହିତ୍ୟେ ପ୍ରମୀ ତଥା ସଂସ୍କୃତିକର୍ମୀ ସମବେତ ହୋଇଥିଲେ ।

Comments are closed.