Odisha Link
Bridging the Missing Links in Odisha

କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରା, ଆନନ୍ଦପୁର, ଚମ୍ପୁଆ, ପାଟନା ଏବଂ କେଉଁଝର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସଂପୃକ୍ତ ଅଞ୍ଚଳର ବିଧାୟକମାନଙ୍କ ସହ ଆଲୋଚନା କରିବା ସହ ଯେଉଁ ବଳକା ଅଞ୍ଚଳଗୁଡ଼ିକରେ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନାହିିଁ ତାହାର ସମସ୍ୟା ଏବଂ ଅଗ୍ରଗତି ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ। ବୈଠକରେ ହାତୀମାନଙ୍କ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଦ୍ୟୁତ ଆଘାତଜନିତ କାରଣରୁ ହାତୀ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ନେବା ସହ ଉନ୍ନତ ମାନର ତଥା ଅଧିକ ଉଚ୍ଚ ବିଦ୍ୟୁତ୍ ଖୁଣ୍ଟି ସ୍ଥାପନ ଏବଂ ଇନ୍‌ସୁଲେଟେଡ୍‌ କଣ୍ଡକଫର ଲଗାଇବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଇଥିଲା।

ବୈଠକରେ ୩୩/୧୧ ଏବଂ ୨୨୦/୧୩୨ ସବ୍‌ଷ୍ଟେସନ୍‌ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା। ଯେଉଁ କେତୋଟି ଗ୍ରାମସବୁ ବିଦ୍ୟୁତ୍ ସଂଯୋଗରୁ ବଳକା ରହିଯାଛନ୍ତି ସେସବୁ ଗ୍ରାମକୁ ଚିହ୍ନଟ କରି ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଏକ ସଂପୂର୍ଣ୍ଣ ମାଷ୍ଟର ପ୍ଳାନ୍‌ ପ୍ରସ୍ତୁତ କରିବା ପାଇଁ ନେସ୍କୋ ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥି ସହିତ ଯେଉଁସବୁ କଣ୍ଟ୍ରାକଟର କାମରେ ଅହେତୁକ ବିଳମ୍ବ କରୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହିତ ଆବଶ୍ୟକ ପଡ଼ିଲେ ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଓପିଟିସିଏଲ୍‌ର ଅଧିକାରୀମାନଙ୍କୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବା ପାଇଁ ମନ୍ତ୍ରୀ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଦକ୍ଷତା ବିକାଶ ତଥା ବୈଷିୟକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦନ ନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦ ପୁର ବିଧାୟକ ଭାଗୀରଥୀ ସେଠୀ, ଚମ୍ପୁଆ ବିଧାୟିକା ମୀନାକ୍ଷି ମହାନ୍ତ, ଶକ୍ତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସଂଗ୍ରାମ କେଶରୀ ସ୍ୱାଇଁଙ୍କ ସମେତ ନେସ୍କୋ, ଓପିଟିସିଲଏଲ୍‌ ଓଏନ୍‌ଟି ପିସିର ବରିଷ୍ଠ ଯନ୍ତ୍ରୀ ତଥା ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.