Odisha Link
Bridging the Missing Links in Odisha

ଚଳଚ୍ଚିତ୍ର ଉତ୍ସବ ଓ ଫଟୋ ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆଜିଠାରୁ ଆରମ୍ଭ ହୋଇଛି ୨ ଦିନିଆ ଚଳଚ୍ଚିତ୍ର ଉତ୍ସବ ସାଙ୍ଗକୁ ଫଟୋ ପ୍ରଦର୍ଶନୀ । ପୂର୍ବାହ୍ନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ବିଭାଗୀୟ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଭିନ୍ନକ୍ଷମମାନଙ୍କ ଦକ୍ଷତା, ପ୍ରତିଭା, ସେମାନଙ୍କ ସୁରକ୍ଷା ଓ ସାମାଜିକ ପ୍ରତିବଦ୍ଧତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଧାରିତ ପ୍ରାୟ ୭୦ରୁ ଊଦ୍ଧ୍ୱର୍ କ୍ଷୁଦ୍ର ଚଳଚ୍ଚିତ୍ର ଓ ବୃତ୍ତଚିତ୍ର ଏହି ଉତ୍ସବରେ ସ୍ଥାନିତ ହୋଇଛି । ଭାରତର ବିଭିନ୍ନ ଅଞ୍ଚଳର ଚିତ୍ର ନିର୍ଦ୍ଦେଶକମାନଙ୍କ ଦ୍ୱାରା ସଂପନ୍ନ ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ୭ଟି ଫିଚର ଫିଲ୍ମ । ଆଇ ଆମ୍‌ ଏବୁଲ୍‌, ସାମର୍ଥ୍ୟ, ସ୍ୱାଭିମାନ, ମୁଁ ବି ସକ୍ଷମ, ଉର୍ବଶୀ, ଆଟିଚୁ୍ୟଡ୍‌, ଅଟୋବାଲା, ଡିଫ୍‌ ଏଣ୍ଡ ଡଞ୍ଚ, ଡୁ ବିଫୋର ୟୁ ଡାଇ, ଲଭ୍‌ ସଟସ୍‌, ଲେଟ୍‌ ଅସ୍‌ ବାଇସାଇକେଲ୍‌ ଟୁଗେଦର, ଓ୍ୱାନ୍‌ ଫିଟ୍‌, ଓଡ଼ିଶାସ୍‌ ଇନର ଆଇ, ଷ୍ଟାଣ୍ଡ ଫର ରେସ୍ମେକ୍ସ ଓ ହ୍ୱାଟ୍‌ ଆଇ ଫିଲ୍‌ ଶିରୋନାମ ସଞ୍ଚଳିତ ଏହି ଚଳଚ୍ଚିତ୍ରଗୁଡ଼ିକରେ ଭିନ୍ନକ୍ଷମମାନଙ୍କ ଅନୁଭବ, ସାଧନା, ଭାବ ପ୍ରବଣ ଜୀବନଧାରା ଓ ପାରସ୍ପରିକ ସଂ ପର୍କ ତଥା ସଂ ପ୍ରୀତି ପ୍ରତିଫଳିତ ହୋଇଛି ଏବଂ ଆଜି ପ୍ରାୟ ୨୦ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀବୃନ୍ଦ ଏହା ଉପଭୋଗ କରିଥିଲେ ।

ଅନୁରୂପ ଭାବରେ ସେହିଠାରେ ଭିନ୍ନକ୍ଷମମାନଙ୍କ ସୁରକ୍ଷା, ଆତ୍ମନିର୍ଭରତା, କୃତିତ୍ୱ ଇତ୍ୟାଦି ଉପରେ ପର୍ଯ୍ୟବସିତ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଫଟୋଗ୍ରାଫରମାନଙ୍କ ଦ୍ୱାରା ଉତ୍ତୋଳିତ ଫଟୋଗୁଡ଼ିକର ଏକ ମନୋଜ୍ଞ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି । ଶ୍ରେଷ୍ଠ ବିବେଚିତ ତିନୋଟି ଫଟୋକୁ ଆସନ୍ତାକାଲି ପୁରସ୍କୃତ କରାଯିବ ।
ଚଳିତ ମାସ ୩ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ବିଭାଗ ପକ୍ଷରୁ ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Comments are closed.