Odisha Link
Bridging the Missing Links in Odisha

ଭାପୁର ବ୍ଲକରେ ଦୁର୍ନୀତି, ଆମରଣ ଅନଶନରେ ବସିଲେ ପଞ୍ଚାୟତ ପ୍ରତିନିଧି

ଭାପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପିସି କାରବାରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର ଅଲଗା। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ଏପରିକି ବିନା ପିସିରେ ବିଲ୍‌ ପାସ୍‌ ହେଉ ନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଉ ନାହିଁ। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧ୍ୟକ ଭତ୍ତା, ପରିମଳ ଯୋଜନା ଏବଂ ମହତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଦି ଯୋଜନା ଗୁଡ଼ିକରେ ଅନିୟମିତତା ହେଉଥିବା ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଅଭିଯୋଗ ଆଣିଛନ୍ତି।

ଏପରିକି ଏସବୁ ଅଭିଯୋଗ ନେଇ ଗତ ସପ୍ତାହରେ ଲୋକ ପ୍ରତିନିଧୀ ମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର କିଛି ସମାଧାନ ନହେବାରୁ ସେମାନେ ଆଜି ବ୍ଲକ୍‌ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଛନ୍ତି। ଅନ୍ୟପଟେ ଏନେଇ ବିଡିଓ ଦାୟିତ୍ବରେ ଥିବା ଏବିଡିଓ ଦାସଙ୍କୁ ପଚାରିବାରୁ ସେ କହିଥିଲେ ସମସ୍ତଙ୍କର ଅଭିଯୋଗ କରିବାର ସାମ୍ବିଧାନିକ ଅଧିକାର ଅଛି। ମୋ ନାମରେ ଯେଉଁ ଅଭିଯୋଗ ହୋଇଛି ତାହା ପ୍ରମାଣିତ ହେଲେ ଦଣ୍ଡ ପାଇବି ବୋଲି କହିଛନ୍ତି।

ଅପରପକ୍ଷେ ସୋମବାର ଭୁବନେଶ୍ବରରୁ ଏକ ଟିମ୍‌ ଚକ୍ରଧର ପ୍ରସାଦ ଓ ଗୋଳା ପୋଖରୀ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ହାତେଇଥିବା ଅଯୋଗ୍ୟ ବ୍ୟକ୍ତିମାନଙ୍କ ଘରକୁ ଯାଇ ତଦନ୍ତ କରଥିବା ଜଣାପଡ଼ିଛି। ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଭାପୁର ବ୍ଲକରେ ପଦବୀ ଖାଲି ପଡ଼ୁଥିବାବେଳେ ଏବିଡିଓ ଅନ୍ତର୍ଯ୍ୟାମୀ ଦାସ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ହେଲେ ସିଏ ସରକାରଙ୍କ ନୀତି ନିୟମ ଉଲ୍ଲଂଘନ କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ଲକକୁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସ୍‌ଭିସିସି ତାଲିକାରେ ନାମ ଥିବା ଯୋଗ୍ୟ ହିତାଧୀକାରୀଙ୍କୁ ବାଦ୍‌ ଦିଆଯାଇ ପକ୍କାଘର ଥିବା ବ୍ୟକ୍ତିମାନଙ୍କ ଠାରୁ ୨୦ର ୩୦ ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟଦେଶ ଦିଆଯାଇଛି।

ସେହିଭଳି ଶବର ସାହିର ଆଦିବାସୀଙ୍କୁ ପକ୍କାଘର ଯୋଜନାରୁ ବଞ୍ଚିତ କରାଯାଇ ସଅର ସମ୍ପ୍ରଦାୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟାଯାଇଛି। ଆମ ଗାଁ ଆମ ବିକାଶ, ରାଜ୍ୟସଭା ହାତପାଣ୍ଠି, ଫନି, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ଭତ୍ତା ନପାଇ ମିଥ୍ୟା ବିଲ କରାଯାଇ କୋଟି କୋଟି ଟଙ୍କା ହଡ଼ପ୍‌ କରାଯାଇଛି। ସ୍ବଚ୍ଛଭାରତ ମିଶନ୍‌ (ଗ୍ରାମୀଣ)ରେ ହିତାଧିକାରୀଙ୍କ ଶୌଚାଳୟ କରାନଯାଇ ମିଥ୍ୟାବିଲ୍‌ ଲାଗି ଏଜେନ୍ସି ନାମରେ ଟଙ୍କା ହରିଲୁଟ୍‌ ହୋଇଛି। ଯେଉଁମାନେ ଶୌଚାଳୟ କରିଛନ୍ତି ସେମାନଙ୍କ ବିଲ୍‌ କରାଇଦେବା ପାଇଁ ୨୦୦୦ ଟଙ୍କା ଲାଞ୍ଚ ମଗାଯାଇଛି। ନହେଲେ ବିଲ୍‌ ଦିଆଯାଉନାହିଁ।

ବିଭିନ୍ନ ଗ୍ରାମରେ ୭୦ବର୍ଷର ବୃଦ୍ଧାବୃଦ୍ଧ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ବେଳେ ୪୦ବର୍ଷର ଯୁବକଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସଭିସିସି ତାଲିକାରେ କାମ ନଥିବା ହିତାଧୀକାରୀଙ୍କୁ ସରକାର ନୁତନ ଭାବେ ଏ, ବି, ଓ ସି ଫର୍ମ ଜରିଆରେ ଆବେଦନ କରିବା ବ୍ୟବସ୍ଥା ଥିବା ବେଳେ ଏବିଡିଓଙ୍କ ନିର୍ଦ୍ଦେଶ କ୍ରମେ ପାଖାପାଖି ୨୦୦୦ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ପତ୍ର ପଞ୍ଜୀକୃତ କରା ନଯାଇ ଫିଙ୍ଗି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରୁ ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଥିବା ବେଳେ ଭାପୁର ବ୍ଲକରେ ୨୨ ପ୍ରତିଶତ ପିସି ନଦେଲେ କୌଣସି କାର୍ଯ୍ୟର ବିଲ୍‌ ପାସ୍‌ ହେଉ ନାହିଁ। ଅଭିଯୋଗ ସତ୍ତ୍ବେ ସୁଫଳ ନମିଳିବାରୁ ଆଜି ଦିନ ୧୧ଟାରେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ବିଜୁ ଜନତାଦଳର ସକ୍ରିୟକର୍ମୀ ବୃନ୍ଦ।ଏଥିସହିତ ଅଞ୍ଚଳର ଯୁବନେତା ଜିତେନ୍ଦ୍ର କୁମାର ରଣସିଂହ, ଗୋଳାପୋଖରୀ ସମିତି ସଭ୍ୟ ସସ୍ମିତା ସାହୁ, ସରପଞ୍ଚ ଲକ୍ଷ୍ମୀଧର ସାମନ୍ତରାୟ, ଚକ୍ରଧର ପ୍ରସାଦ ସମିତି ସଭ୍ୟ ପ୍ରଦୀପ ଜେନା, ଭଗବାନପୁର ସମିତି ସଭ୍ୟ କୁମାର ପ୍ରଧାନ ପ୍ରମୁଖ ଅନଶନରେ ସାମିଲ ହୋଇଛନ୍ତି।

Comments are closed.