Odisha Link
Bridging the Missing Links in Odisha

ପିକକ୍ ପକ୍ଷରୁ ସପ୍ତାହବ୍ୟାପୀ ମହିଳା ହିଂସା ବିରୋଧୀ ଅଭିଯାନ ଆରମ୍ଭ

ଭୁବନେଶ୍ବର : ସମାଜରେ ମହିଳା ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ବିଶ୍ଵରେ ୩୫ ପ୍ରତିଶତ ମହିଳା ହିଂସାର ଶୀକାର ହେଉଛନ୍ତି । ମହିଳା ମାନେ କେବଳ ଧର୍ଷଣ, ଯୌତୁକ, ଶାରିରୀକ ନିର୍ଯ୍ୟାତନା ଶୀକାର ନୁହେଁ ପାରିବାରିକ ହିଂସା ଓ ହତ୍ୟାର ଶୀକାର ମଧ୍ୟ ହେଉଛନ୍ତି । ବିଶ୍ଵରେ ପ୍ରତିଦିନ ୧୩୭ ଜଣ ମହିଳା ନିଜର ପରିବାରର ସଦସ୍ୟ ମାନଙ୍କ ଦ୍ଵାରା ହତ୍ୟାର ଶୀକାର ହେଉଛନ୍ତି। ୧୯୯୧ ମସିହାରେ ୧୬ ଦିନିଆ ମହିଳା ହିଂସା ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ପ୍ରାୟ ୧୮୭ ଦେଶରୁ ୬୦୦୦ ଦଳ ଏହି ଅଭିଯାନରେ ଭାଗ ନେଉଛନ୍ତି ।

ମହିଳା ହିଂସା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଖୋର୍ଦ୍ଧା ଜିଲ୍ଲା ର ବାଲିଅନ୍ତା ବ୍ଲକ ଓ ବୋଲଗଡ ବ୍ଲକ ରେ ପିକକ୍ ଓ ଦି ହଙ୍ଗର ପ୍ରୋଜେକ୍ଟ ର ଆନୁକୁଲ୍ୟରେ ଏହି ଅଭିଯାନର ଆରମ୍ଭ ଭୁବନେଶ୍ଵର ରୋଟାରୀ ଭବନ ରୁ ଏକ କର୍ମଶାଳା ମାଧ୍ୟମରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଛି । ଏହି କର୍ମଶାଳା ର ଅଧ୍ୟକ୍ଷତା ଡ॰ ମିନାକ୍ଷୀ ପଣ୍ଡା, ପିକକ୍ ର ନିର୍ଦ୍ଦେଶିକା କରିଥିଲେ ।

ଏହି କର୍ମଶାଳା ଅତିଥିଭାବେ ଅରୁଣ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ଵର କହିଥିଲେ ମହିଳା ହିଂସା କୁ ରୋକିବାକୁ ହେଲେ ପରିବାର, ଗ୍ରାମ, ସ୍ଵେଚ୍ଛାସେବୀ ସଂଗଠନ ସହଯୋଗରେ ତୃଣମୂଳ ସ୍ତରରେ ସଚତନତା ସୃଷ୍ଟି କରିବା ଓ ଏହାର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ । ଖାଲି ଶିକ୍ଷିତା ହେଲେ ହେବ ନାହିଁ, ହିଂସା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିପାରିଲେ ଏକ ହିଂସା ମୁକ୍ତ ସମାଜ ଗଠନ ହୋଇପାରିବ ।

ଅନ୍ୟ ଅତିଥିମାନେ ଥିଲେ, ମହିଳା ଓ ଶିଶୁ ବିଭାଗର ଉପଦେଷ୍ଟା ସୁଲତା ଦେଓ, ମହିଳା କମିଶନର ସଦସ୍ୟା ସ୍ନେହଞ୍ଜାଳୀ ମହାନ୍ତି ଓ ଅନୁରାଧା ବିଶ୍ଵାଳ, ଅଲମ୍ପିୟାନ। ସେମାନେ କହିଥିଲେ ଯେ ମହିଳା ମାନେ ସେମାନଙ୍କ ଉପରେ ହେଉଥିବା ହିଂସା କୁ ପ୍ରତିରୋଧ କରିବା ଅତ୍ୟନ୍ତ ଆବଶ୍ୟକ । ସେମାନେ ସମାଜର ପ୍ରମୁଖ ଅଂଶ, ପରିବାର ହେଉଛି ସମାଜର ଭିତ୍ତିଭୂମି ଏବଂ ମହିଳାଟିଏ ପରିବାରକୁ ସୁନ୍ଦର ଭାବରେ ପରିଚାଳନା କରିପାରୁଛି ସେ ଚାହିଁଲେ ନିଜ ଉପରେ ହେଉଥିବା ହିଂସା କୁ ପ୍ରତିରୋଧ ମଧ୍ୟ କରିପାରିବ ।

ମହିଳା ମାନେ ଘରୋଇ ହିଂସା କୁ ନ ସହି ଆଇନ ର ସହାୟତା ନେବା ଆବଶ୍ୟକ ବୋଲି ସେମାନେ ମତ ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଲିଅନ୍ତା ଅଲିଭା ମହାସଂଘର ଉପାଧକ୍ଷା ସ୍ଵପ୍ନା ଭୋଇ ଓ ବୋଲଗଡ ର ସରପଞ୍ଚ ବବିତା ସାହୁ ମଧ୍ୟ ନିଜର ମତ ରଖିଥିଲେ । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସମସ୍ତଙ୍କୁ ସ୍ଵାଗତ କରି ଏହି ଅଭିଯାନ ର ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ଓ ବିଭିନ୍ନ ସ୍ତରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ଶୋଷଣ ବିରୋଧରେ ସୁରକ୍ଷା ଦେବା ସମସ୍ତଙ୍କର ଗୁରୁ ଦାଇତ୍ଵ ବୋଲି କହିଥିଲେ ଏବଂ ଏକ ହିଂସା ମୁକ୍ତ ସମାଜ ଗଠନ ପାଇଁ ଆହ୍ଵାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ କୁ ବାଲିଅନ୍ତା ଓ ବୋଲଗଡ ବ୍ଲକ ର ୧୦୦ ରୁ ଅଧିକ ମହିଳା ପଞ୍ଚାଯତ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଟିର ସଦସ୍ୟାମାନେ ଉପସ୍ଥିତ ରହି ପଞ୍ଚାଯତ କୁ ଜନ୍ମ ଓ ବିବାହ ପଞ୍ଜୀକରଣ, ପଞ୍ଚାୟତ ସ୍ତରରେ ଏକ ଯୌନ ନିର୍ଯ୍ୟାତନା ସୁରକ୍ଷା କମିଟିର ଗଠନ, ବିଧବା, ଅବିବାହିତ ଝିଅ କୁ ସୁରକ୍ଷା ପ୍ରଦାନ କରିବା, ପ୍ରତ୍ୟକ ମହିଳାଙ୍କ ନିମନ୍ତେ ଶୌଚାଳୟ ର ବ୍ୟବସ୍ଥା, ପଞ୍ଚାୟତ
ନିର୍ବାଚନରେ ଦୁଇଟି ପିଲାର ନିୟମକୁ ବନ୍ଦ କରିବା ଆଦି ବିଭିନ୍ନ ବିଷୟ ଉପରେ ମତ ରଖିଥିଲେ ।

ଶେଷରେ ପିକକ୍ ର ବ୍ଲକ ସଂଯୋଜିକା ଉପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପିକକ୍ ର ଜ୍ୟୋତି ଶଙ୍କର ମହାନ୍ତି, ବାମଦେବ ଜେନା, ଡ. ସୁମିତ୍ରା ମହାନ୍ତି ପ୍ରମୁଖ ଏହି କାର‌୍ୟ୍ୟକର୍ମ ର ପରିଚାଳନା କରିଥିଲେ।

Comments are closed.