Odisha Link
Bridging the Missing Links in Odisha

ଦକ୍ଷିଣ ଆମେରିକାରେ ନୂଆ ଦେଶ ପ୍ରତିଷ୍ଠା କଲେ ନିତ୍ୟାନନ୍ଦ: ଜାଣନ୍ତୁ ଦେଶର ନାମ ଓ ପତାକା

ଧର୍ଷଣ ସମେତ ନାନାଦି ଅପରାଧରେ ଜଡ଼ିତ ବିବାଦୀୟ ବାବା ସ୍ବାମୀ ନିତ୍ୟାନନ୍ଦ ଏବେ କୈଳାଶରେ ଅଛନ୍ତି। ହଁ, ଆପଣ ଠିକ ପଢ଼ିଛନ୍ତି- ‘କୈଳାଶ’। କୌଶଳ କ୍ରମେ ଦେଶରୁ ଖସି ଯାଇଥିବା ନିତ୍ୟାନନ୍ଦଙ୍କର ନୂଆ ଠିକଣା ଏବେ କୈଳାଶ। ତେବେ ଏ କୈଳାଶ ହିମାଳୟରେ ନାହିଁ, ଭାରତରେ ବା ନେପାଳରେ ନାହିଁ। ଏହା ରହିଛି ଦକ୍ଷିଣ ଆମେରିକାରେ।

ଇକ୍ବେଡର ନିକଟରେ ଏକ ଦ୍ବୀପରେ ଏବେ ଅବସ୍ଥାନ କରୁଛନ୍ତି ସ୍ବାମୀ ନିତ୍ୟାନନ୍ଦ। ଏହି ଦ୍ବୀପଟିକୁ ସମ୍ପୂର୍ଣ୍ଣ କିଣିଥିବା ନିତ୍ୟାନନ୍ଦ ଏହାକୁ ଏକ ହିନ୍ଦୁ ଦେଶ ଘୋଷଣା କରିବା ସହ ଏହାର ନାମ ରଖିଛନ୍ତି କୈଳାଶ।
ଏହି ଦେଶର ପାସପୋର୍ଟ, ପତାକା, ସଙ୍କେତ ଓ ନୀତିନିୟମ ରହିଛି। ଏହା ବିଶ୍ବର ସର୍ବୋତ୍କୃଷ୍ଟ ହିନ୍ଦୁ ରାଷ୍ଟ୍ର ବୋଲି କୈଳାଶ ଓ୍ବାବସାଇଟରେ ଘୋଷଣା କରାଯାଇଛି। ଦେଶର ପତାକା ଓ ସଙ୍କେତ ବି ତିଆରି କରିଛନ୍ତି ନିତ୍ୟାନନ୍ଦ। ଶିବଙ୍କ ବାହାନ ବାସୁଆ ବଳଦ ତାଙ୍କ ଦେଶର ସଙ୍କେତ ରହିଥିବା ବେଳେ ପତାକା ଉପରେ ମଧ୍ୟ ତାହା ରହିଛି।

ନିଜ ଦେଶରେ ଠିକ ଭାବରେ ହିନ୍ଦୁ ରୀତି ପାଳନ କରିବାକୁ ଅସମର୍ଥ ବିତାଡ଼ିତ ହିନ୍ଦୁଙ୍କ ଲାଗି ଏହା ଏକ ସୀମାରହିତ ରାଷ୍ଟ୍ର ବୋଲି ଓ୍ବେବ୍‌ସାଇଟ୍‌ ଉଲ୍ଲେଖ କରିଛି। ହିନ୍ଦୁ ପଥ ଅନୁସରଣ କରୁଥିବା ଯେ କୌଣସି ଜାତି, ଧର୍ମ, ଦେଶର ଲୋକଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ଥାନ ବୋଲି କୁହାଯାଇଛି।

ଏହି ଦେଶରେ ଏକ ସରକାର ଗଠନ ସହ ଗୃହ, ପ୍ରତିରକ୍ଷା, ଅର୍ଥ, ବାଣିଜ୍ୟ, ଗୃହନିର୍ମାଣ, ମାନବ ସେବା ଓ ଶିକ୍ଷା ଭଳି ବିଭାଗ ମଧ୍ୟ ଖୋଲାଯାଇଛି। ଏଠାରେ ମନ୍ଦିରାଶ୍ରୟୀ ପରିବେଶ, ତୃତୀୟ ଆଖିର ବିଜ୍ଞାନ, ଯୋଗ ଓ ଧ୍ୟାନ, ଗୁରୁକୂଳ ଶିକ୍ଷା ବ୍ୟବସ୍ଥା ରହିବା ସହ ସମସ୍ତଙ୍କୁ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଖାଦ୍ୟ ଦିଆଯିବ ବୋଲି ଉଲ୍ଲେଖ ରହିଛି।

ପୂର୍ବରୁ ଜଣେ ତାମିଲ ନାୟିକାଙ୍କ ସହ ଆପତ୍ତିଜନକ ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ସ୍ବାମୀ ନିତ୍ୟାନନ୍ଦ ନିକଟରେ ଦୁଇ ଯୁବତୀଙ୍କୁ ଅହମ୍ମଦାବାଦର ଏକ ଆଶ୍ରମରେ ବଳପୂର୍ବକ ରଖଥିବା ନେଇ ଅଭିଯୁକ୍ତ ହୋଇଥିଲେ। ଗୋଟିଏ ଧର୍ରଷଣ ମାମଲାରେ ଅଭିଯୁକ୍ତ ହୋଇ ସେ ଜାମିନରେ ଆସିଥିଲେ। ପରେ ତାଙ୍କୁ ଭାରତରେ ଦେଖିବାକୁ ମିଳି ନଥିଲା। ୨୦୧୮ ଶେଷ ଆଡ଼କୁ ସେ କୌଶଳ କ୍ରମେ ବିଦେଶ ଖସିଯାଇଥିବା ପୁଲିସ ସନ୍ଦେହ କରୁଛି। ୨୦୧୮ ସେପ୍ଟେମ୍ବରରେ ତାଙ୍କର ପାସ୍‌ପୋର୍ଟର ବୈଧତା ଶେଷ ହୋଇଥିଲା ଓ ଏହାର ନବୀକରଣ ପାଇଁ ତାଙ୍କର ଆବେଦନକୁ ସରକାର ଖାରଜ କରିଥିଲେ।

Comments are closed.