Odisha Link
Bridging the Missing Links in Odisha

କୋଣାର୍କ ଉତ୍ସବ ଦ୍ବିତୀୟ ସଂଧ୍ୟା: ମନ ମୋହିଲା ଓଡିଶୀ ଓ ମୋହିନୀ ଆଟ୍ଟମ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟନୃତ୍ୟରେ ପ୍ରଦର୍ଶିତ କରିଥିଲା।

ସୁଦୃଶ୍ୟ ଆଲୋକସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଞ୍ଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍‌ର ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା। ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଞ୍ଚ ପ୍ରବେଶ କରିଥିଲେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତିକୁ ନେଇ। ପରେ ପରେ ନୃତ୍ୟ ନାଟିକା ତ୍ରିବେଣୀ ସଂଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ତୋଳି ଧରିଥିଲେ।

ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟର ସଂଗମ ମଧ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମ୍‌ର ସୁପ୍ରସିଦ୍ଧ ଗୁରୁ ଜୟପ୍ରଭା ମେନନ୍ ଓ ସାଥୀ ଶିଳ୍ପୀ ଶ୍ରୀଜୟଦେବକୃତ ଗୀତ ଗୋବିନ୍ଦମ୍‌ର ଚର୍ଚ୍ଚିତ ଅଷ୍ଟପଦୀ ‘ଚନ୍ଦନ ଚର୍ଚ୍ଚିତ ନୀଳକଳେବର’ ଉପସ୍ଥାପନା କରିଥିଲେ। ଗୁରୁ ମେନନ୍‌ଙ୍କ ଦ୍ବିତୀୟ ଅର୍ଘ୍ୟରେ ଜୀବନର ଉଛ୍ୱାସ ଅତି ନିଖୁଣ ଭାବେ ମଞ୍ଚସ୍ଥ ହୋଇଥିଲା। ପ୍ରକୃତି ଓ ପୁରୁଷର ମିଳନରୁ ସୃଷ୍ଟ ଜୀବନର ଆନନ୍ଦ ତତ୍ତ୍ବକୁ ପ୍ରକାଶ କରିଆସିଛି ଓ ଏହି ଉପଲବ୍ଧି ହିଁ ଜୀବନ ଜିଜ୍ଞାସାର ମୂଳତତ୍ତ୍ବ ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଭାତ ହୋଇଥିଲା। ମୋହିନୀଆଟ୍ଟମ୍‌ର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା।

ସଂଧ୍ୟାର ଅତିଥି ଭାବେ ମୁଖ୍ୟ ମହାଲେଖାକାର ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍‌, ସଂଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡ. ସଂଗୀତା ଗୋସାଇଁ ଯୋଗ ଦେଇଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ, ମଞ୍ଚ ସଂଚାଳନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ କୁମାର ପତି, ଡ. ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Comments are closed.