Odisha Link
Bridging the Missing Links in Odisha

ଏହି ଫଟୋ ଟ୍ବିଟ୍‌ କଲେ ନବୀନ, ଏମିତି ଟ୍ରୋଲ୍‌ କଲେ ଅନୁଗାମୀ

ଭୁବନେଶ୍ବର: ଚଳିତ ଡିସେମ୍ବର ମାସ ୧ ତାରିଖ ସକାଳେ ଏହି ସୁନ୍ଦର ଫଟୋଟି ନିଜ ଟ୍ବିଟର ହାଣ୍ଡଲ୍‌ରେ ପୋଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୁନ୍ଦର ରାସ୍ତାର ଫଟୋ ସହ ନବୀନ ଲେଖିଥିଲେ- ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’। ଏ ଆଖିଝଲସା ରାସ୍ତା ଆଦୌ ଅଜଣା ଅମଡ଼ା ନୁହେଁ, ଓଡ଼ିଶାର ମଧ୍ୟଭାଗରେ ଦୁଇ ଗୁରୁତ୍ବପୂର୍ଣ୍ଣ ସହରକୁ ଏହା ସଂଯୋଗ କରୁଛି। ରାସ୍ତାଟି କେଉଁଠାର ହୋଇଥିବ ଅନୁମାନ କରନ୍ତୁ, ଉତ୍ତର ସଂଧ୍ୟା ୬ଟାରେ ମିଳିବ ବୋଲି ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ।

ଏ ଦୃଶ୍ୟକୁ ନବୀନଙ୍କର ବହୁ ଟ୍ବିଟର୍‌ ଅନୁଗାମୀ ପ୍ରଶଂସା କରିଥିବା ବେଳେ ଅନେକେ ଟ୍ରୋଲ୍‌ କରିବାକୁ ମଧ୍ୟ ପଛାଇ ନଥିଲେ। ଓଡ଼ିଶାର ଆଉ କିଛି ଅନୁନ୍ନତ ଓ ପୀଡ଼ାଦାୟକ ରାସ୍ତାର ଫଟୋ ଛାଡ଼ି ଅନୁଗାମୀ ମୁଖ୍ୟମନ୍ତ୍ରୀଙ୍କୁ ଚେତାଇବାକୁ ଚେଷ୍ଟା କରିଥିଲେ।

ଗୋଟିଏ ଅବୁଡ଼ାଖାବୁଡ଼ା ରାସ୍ତାରେ ବାଇକ୍‌ କିଭଳି ୮ରୁ ୧୩ କିମି ବେଗରେ ଯାଇପାରୁଛି ତାହାର ଫଟୋ ଛାଡ଼ି ଜଣେ ଅନୁଗାମୀ ଉତ୍ତର ଦେଇଛନ୍ତି- କିଛି ସୁନ୍ଦର ଦୃଶ୍ୟ ଏଠି ବି ଅଛି।

ତା ତଳକୁ ଆଉ ଜଣେ ଲେଖିଛନ୍ତି- ଏଗୁଡ଼ାକୁ ଦେଖାଯିବନି ସରକାରଙ୍କୁ।

ଭୁବନେଶ୍ବର ଇସ୍କନ ସମ୍ମୁଖ ଜାତୀୟ ରାଜପଥରେ ପାଣି ଭିତରେ ବସ ଯାଉଥିବାର ଦୃଶ୍ୟ ଛାଡ଼ି ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି- ଅତି ସୁନ୍ଦର।

ଜଣେ ଅନୁଗାମୀ ଲେଖିଛନ୍ତି- କିନ୍ତୁ ଏଭଳି ସୁରମ୍ୟ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଆମେ ସେ ରାସ୍ତା ଉପରେ ହେଲିକପ୍ଟରରେ ଯାଇ ପାରୁନାହୁଁ। ହାୟ! ତଥାପି ଆପଣଙ୍କ ଟୁଇଟ୍‌ ଭଲ ଲାଗିଲା।

ଅନ୍ୟ ଜଣେ ଲେଖିଲେ- ଏଭଳି ରାସ୍ତା କୋଟିପତି, ଠିକାଦାର, ରାଜନେତା ଓ ସରକାରୀ ଅଧିକାରୀଙ୍କ ପାଇଁ ଗୋଟେ ବଡ଼ କଥା। କିନ୍ତୁ ଜନତାଙ୍କର ଲୋଡ଼ା ପ୍ରାକୃତିକ ପରିବେଶ, ପୋଷଣ ଓ ସ୍ବାସ୍ଥ୍ୟ।

ଆଉ ଜଣେ କଟକ ରାସ୍ତାର ଦୁଃଖ ବଖାଣିଛନ୍ତି- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ଜୀ ଦିନଟିଏ ପାଇଁ ହେଉ ପଛେ କଟକ ବୁଲିବେ କି… JICA ଦ୍ବାରା ରାସ୍ତା ଓ ପରିବେଶ ସମ୍ପୂର୍ଣ୍ଣ ବିଧ୍ବସ୍ତ ହୋଇଛି… ଆମେ ଧୂଳି ଆଉ ଟ୍ରାଫିକ୍‌ ଜାମ୍‌ ଭିତରେ ବହୁତ ଅସୁବିଧା ଭୋଗୁଛୁ। ସେ ଏ ସମସ୍ୟା ପ୍ରତି ଦୃଷ୍ଟି ଦେବେ କି… ନାଁ! ନାଁ! ନାଁ!

ଆଉ ଜଣେ ବ୍ୟଙ୍ଗ କରିଛନ୍ତି- ସ୍ ନ୍ଦ ର ଟ୍ରପ୍ତି ର ଅବସାଡ଼ ନହିଁ ଜେଟେ ଦେଖୁଠିଲେ ଣୁଆ ଡ଼ିସୁଠାଇ – ନବୀନ ପଟନାୟକ (real voice) ଆପଣ ମାଣେ ଖୁସି ଟ

ଜଣେ ଅନୁଗାମୀ ପ୍ରଶ୍ନ କରିଛନ୍ତି- ସାର୍‌ ରାଉରକେଲା-ଭୁବନେଶ୍ବର ହାଇଓ୍ବେ ବିଷୟରେ ଟିକେ କହିବେ କି?

ଜଣେ ଲେଖିଛନ୍ତି- ମହାପୁରୁ ଟିକେ ବ୍ରହ୍ମପୁର ଠାରୁ ରାୟଗଡା ରାସ୍ତା ଦେଖନ୍ତୁ ।।

ଅନ୍ୟ ଜଣେ ଲେଖିଛନ୍ତି- ସାର୍‌ ଆପଣ ହେଲିକପ୍ଟରରେ ପିକ୍‌ ଗୁଡ଼ା ଉଠେଇଛନ୍ତି, ଆମେ କେମିତି କହିବୁ। ତଳେ ରହି ଉଠାନ୍ତୁ, ହୁଏତ କହିବାକୁ ସୁବିଧା ହେବ।

‘ରାସ୍ତା ତିଆରି କରିବା ଓ ଚିତ୍ର ଫଟୋସପ୍‌ କରିବା ପର୍ଯ୍ୟଟନର ନୂଆ ସଜ୍ଞା କି?’ ବୋଲି ଜଣେ ପ୍ରଶ୍ନ କରିଛନ୍ତି।

‘ଭଦ୍ରକ ଧାମରା-ବାସୁଦେବପୁର ରାସ୍ତା ଦୟାକରି ମରାମତି କରନ୍ତୁ’ ବୋଲି ଜଣେ ଅନୁଗାମୀ ଦାବି କରିଛନ୍ତି।

ଜଣେ ଅନୁଗାମୀ ବିଜେପୁର ରାସ୍ତାର ଦୁରାବସ୍ଥା ଫଟୋ ଦେଇ ଲେଖିଛନ୍ତି- ଆପଣଙ୍କ ନିର୍ବାଚନ ମଣ୍ଡଳୀ ବିଜେପୁର। କିଛି କରନ୍ତୁ ସାର୍।

ତେବେ ବହୁ ଅନୁଗାମୀ ନବୀନଙ୍କର ଏହି ଟ୍ବିଟ୍‌କୁ ପ୍ରଶଂସା କରିଛନ୍ତି। ଅନେକେ ସ୍ଥାନଟି ପାଇଁ ଅନୁମାନ ଲଗାଇଥିଲେ ବି କେହି ଠିକ ଉତ୍ତର ଦେଇ ପାରିନଥିଲେ। କିଏ ଏହାକୁ ପୁରୀ-କୋଣାର୍କ ରାସ୍ତା ବୋଲି ଲେଖିଛନ୍ତି ତ ଅନ୍ୟମାନେ ବାଙ୍କୀ, ତ୍ରିଶୁଳିଆ, ଅନୁଗୁଳ, ମାଲକାନଗିରି, ନୟାଗଡ଼, ବଲାଙ୍ଗୀର ଆଦି ସ୍ଥାନର ଏ ରାସ୍ତା ବୋଲି ଅନୁମାନ କରିଛନ୍ତି।

ସଂଧ୍ୟାରେ ଗୁମର ଖୋଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାସ୍ତାଟି ବୌଦ୍ଧ-ସୋନପୁରକୁ ଯୋଗାଯୋଗ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

Comments are closed.