Odisha Link
Bridging the Missing Links in Odisha

କନ୍ଧମାଳରେ କଡ଼ା ଟକ୍କର; କାହାକୁ ଭରସା କରିବେ ଜନତା?

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ନାମାଙ୍କନ ପର୍ବ ଜାରି ରହିଛି। ବିଜେଡି, ବିଜେପି ପରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ ତାଲିକା। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଚାଲିଛି। ଏହି କ୍ରମରେ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ରେ ହେବାକୁ ଥିବାବେଳେ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, ଆସିକା, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ।

ସମସ୍ତ ସଂସଦୀୟ କ୍ଷେତ୍ରରେ ଜୋରଦାର ପ୍ରଚାର ଚାଲିଥିବାବେଳେ ରୋଚକ ହେଉଛି କନ୍ଧମାଳ ରାଜନୀତି। କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀ କରିଛି। ବିଜେପି ପକ୍ଷରୁ ସୁକାନ୍ତ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅମୀର ଚାନ୍ଦ ନାୟକଙ୍କ ନାମରେ ମୋହର ମାରିଛି। ତିନି ପ୍ରମୁଖ ରାଜନୈତିକ ଦଳରୁ ପ୍ରାର୍ଥୀ ହୋଇଥିବା ଏହି ତିନି ନେତାଙ୍କ ମଧ୍ୟରେ ହେବ କଡା ଟକ୍କର। କନ୍ଧମାଳରୁ ୨୦୧୯ରେ ଅଚ୍ୟୁତ ସାମନ୍ତ ଲୋକସଭା ଜିତିଥିଲେ। ତାଙ୍କ ବିପକ୍ଷରେ ୨୦୧୯ରେ ବିଜେପିରୁ ଖାରବେଳ ସ୍ବାଇଁ ଏବଂ କଂଗ୍ରେସ ମନୋଜ କୁମାର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିଲେ।

ଏଠାରେ ଗତ ନିର୍ବାଚନରେ ସିପିଆଇଏମ ଏବଂ ବିଏସପି ପକ୍ଷରୁ ମଧ୍ୟ ଏଠାରେ ଦୁଇ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଟୁନା ମଲ୍ଲିକ ସିପିଆଇଏମ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ଅମିର ନାୟକ ବିଏସପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ତେବେ ଅଚ୍ୟୁତ ସାମନ୍ତ ଏବଂ ଖାରବେଳ ସ୍ବାଇଁଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା। ଯେଉଁଥିରେ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଥିଲେ। ଅଚ୍ୟୁତ ସାମନ୍ତଙ୍କୁ ୪୬୧୬୭୯ ଖଣ୍ଡ ଭୋଟ୍ ମିଳିଥିବାବେଳେ ଖାରବେଳ ସ୍ବାଇଁଙ୍କୁ ୩୧୨୪୬୩ ଖଣ୍ଡ ଭୋଟ୍ ମିଳିଥିଲା। ମନୋଜ କୁମାର ଆଚାର୍ଯ୍ୟଙ୍କୁ ୧୩୪୯୯୩ ଖଣ୍ଡ ଭୋଟ୍ ମିଳିଥିଲା। ତେବେ ଚଳିତବର୍ଷ ନିର୍ବାଚନରେ କାହାକୁ ଭରସା କରିବେ କନ୍ଧମାଳ ବାସୀ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.