Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ବଡ଼ ରାୟ; ଏଣିକି ସବୁଠି ପ୍ରଯୁଜ୍ୟ ହେବ ମାଟ୍ରିକ ସାର୍ଟିଫିକେଟରେ ଥିବା ଜନ୍ମ ତାରିଖ

ଓଏଲ୍‌ ବ୍ୟୁରୋ: ଏଣିକି ପ୍ରମାଣପତ୍ର ଭାବେ ସବୁଠି ବ୍ୟବହାର ହୋଇପାରିବ ମାଟ୍ରିକ ସାର୍ଟିଫିକେଟ। ଜଣଙ୍କର ମାଟ୍ରିକ ପାସ୍ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ଜନ୍ମ ତାରିଖ ପ୍ରତ୍ୟେକ କ୍ଷେତ୍ରରେ ଜନ୍ମ ତାରିଖ ଭାବେ ପ୍ରଯୁଜ୍ୟ ହୋଇ ପାରିବ। ଆବେଦନକାରୀଙ୍କ ସର୍ଭିସ ବୁକରେ ସଂଲଗ୍ନ ରହିଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ଏଚଏସସି) ପରୀକ୍ଷାର ପ୍ରମାଣପତ୍ରର ଜନ୍ମ ତାରିଖ ଅନୁସାରେ ତାଙ୍କୁ ଅବସର ଦିଆଯିବା ଉଚିତ। ଜଣେ ବ୍ୟକ୍ତିଙ୍କ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି।
ସୂଚନା ମୁତାବକ, ଜଣେ ବ୍ୟକ୍ତି ୧୯୬୮ ମସିହା ଫେବୃଆରୀ ୨୭ରେ ସମ୍ବଲପୁର କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପିଅନ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟରେ ଯୋଗ ଦେବା ସମୟରେ ସେ ମାଟ୍ରିକ ପାସ କରିନଥିବା ବେଳେ ତାଙ୍କ ସର୍ଭିସ ବୁକରେ ଜନ୍ମ ତାରିଖ ୧୯୪୮ ମସିହା ଜୁଲାଇ ୧୨ ତାରିଖ ବୋଲି ଉଲ୍ଲେଖ ରହିଥିଲା। ୧୯୭୦ରେ ଆବେଦନକାରୀ ମାଟ୍ରିକ ପାସ୍ କରିଥିଲେ ଓ ୧୯୭୩ରେ ଡାଇରିଷ୍ଟ ବା ଟାଇପିଷ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ତାଙ୍କର ଜନ୍ମ ତାରିଖ ୧୯୫୦ ମସିହା ଜୁଲାଇ ୧୨ ତାରିଖ ବୋଲି ମାଟ୍ରିକ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ବେଳେ ତାହା ସର୍ଭିସ ବୁକରେ ରେକର୍ଡ ହୋଇଥିଲା। ତେବେ ୧୯୪୮ ଜୁଲାଇ ୧୨ ଅନୁସାରେ ୨୦୦୬ ମସିହା ଜୁଲାଇ ୩୧ରେ ତାଙ୍କୁ ଅବସର ଦିଆଯାଇଥିଲା।
ଏନେଇ ବ୍ୟକ୍ତି ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଓ ଟ୍ରିବ୍ୟୁନାଳ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଯେହେତୁ ଆବେଦନକାରୀଙ୍କୁ ୨୦୦୮ ଜୁଲାଇ ୩୧ ବଦଳରେ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଛି ତେଣୁ ଉକ୍ତ ସମୟ ମଧ୍ୟରେ ସେ କୌଣସି କାର୍ଯ୍ୟ କରିନଥିବାରୁ ସେ ସେହି ଅବଧି ପାଇଁ ବେତନ ପାଇବାକୁ ହକଦାର ନୁହନ୍ତି। ତାଙ୍କୁ ୩ ମାସ ମଧ୍ୟରେ ସଂଶୋଧିତ ପେନସନ ଓ ଅନ୍ୟ ବକେୟା ରାଶି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Leave A Reply

Your email address will not be published.