Odisha Link
Bridging the Missing Links in Odisha

ଏଫଆଇସିସିଆଇର ଭାରତ ଗ୍ୟାସ ଭିତିଭୂମି ସମ୍ମିଳନୀରେ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର :  ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ସିନଗ୍ୟାସ୍ ବନାଯିବାର ଯୋଜନା ରହିଛି । ଦେଶର ଅଧିକ ପାଉଁଶ ବାହାରୁଥିବା କୋଇଲା ଏବଂ ପେଟକୋକ୍ ଉଭୟକୁ ମିଶାଇ ସିନଗ୍ୟାସର ବହୁତ ବଡ ନେଟୱାର୍କ ସ୍ଥାପନା କରାଯିବାର ଲକ୍ଷ୍ୟ ନେଇ ଭାରତ ସରକାର କାମ କରୁଛନ୍ତି ।

ଓଡିଶା ରାଜ୍ୟରେ ଏହାର ପ୍ରଥମ ପ୍ଲାଟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବା ବେଳେ ଖୁବ ଶୀଘ୍ର କାମ ଆରମ୍ଭ କରାଯିବ । ଦେଶରେ ଉପଲବ୍ଧ ଘରୋଇ କୋଇଲାରୁ ସିନଗ୍ୟାସ ତିଆରି କରିବାରେ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଏଫଆଇସିସିଆଇ ପକ୍ଷରୁ ଆୟୋଜିତ ଭାରତ ଗ୍ୟାସ ଭିତିଭୂମି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ ଗ୍ୟାସ କ୍ଷେତ୍ରକୁ କିପରି ଆଗକୁ ବଢାଯିବ ତାହା ଏବେ ଚ୍ୟାଲେଞ୍ଜ ସଦୃଶ ହୋଇଛି ।

୨୫-୩୦ ବର୍ଷ ପୂର୍ବରୁ କେବଳ ଅଶୋଧିତ ତୈଳର ଅନ୍ୱେଷଣ ଗତିବିଧି ଉପରେ ପ୍ରାଥମିକତା ଦିଆଯାଉଥିଲା ମାତ୍ର ଏବେ ଗ୍ୟାସ ଉର୍ଜା ବାସ୍କେଟର ଏକ ମହତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ବସ୍ତୁ ହୋଇସାରିଛି । ଦେଶରେ ପ୍ରାକୃତିକ ଗ୍ୟାସ ଉତ୍ପାଦନ ଏବଂ ଯୋଗାଣ ଉଭୟରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ।

ପ୍ରଧାନ କହିଛନ୍ତି ଆଗାମୀ ଦିନରେ ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହ ଏଲଏନଜି ଗ୍ୟାସର ଉପଲବ୍ଧି ମଧ୍ୟ ବଢିବ । ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି ।

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ତଥା ୨୦୩୦ ସୁଦ୍ଧା ଗ୍ୟାସର ସେୟାରକୁ ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଏହି ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ଅବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ଗ୍ୟାସ ବ୍ୟବହାରକୁ ୨୦୨୯-୩୦ ସୁଦ୍ଧା ୬୦୦ ଏମଏମଏସସିଏମଡି କରିବାକୁ ହେବ ।

ସେହିପରି ପ୍ରଧାନ କହିଛନ୍ତି ଯେ ଦେଶରେ ଗ୍ୟାସ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ବିଗତ ୫ ବର୍ଷ ମଧ୍ୟରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତିଭୂମି ଯଥା ଗ୍ୟାସ୍ ପାଇପ୍ ଲାଇନ୍ , ଟର୍ମିନାଲ , ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ୱୟନ ଚାଲିଛି ।
ସେ କହିଛନ୍ତି ଯେ ଭାରତରେ ସିଟି ଗ୍ୟାସ ବିତରଣ(ସିଜିଡି) ସଂପ୍ରସାରଣରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହୋଇଛି ।

ଖୁବ ଶୀଘ୍ର ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଲୋକମାନେ ଗ୍ୟାସର ସୁବିଧା ପାଇପାରିବେ । ଭାରତର ଇସ୍ପାତ୍ ହବ୍ ପୂର୍ବ ଭାରତ ଏହାର ଲାଭ ପାଇପାରିବ କାରଣ ଇସ୍ପାତ୍ ନିର୍ମାଣ କରିବାରେ ଗ୍ୟାସ ହେଉଛି ଉପଯୁକ୍ତ ଏବଂ ସୁଲଭ ମୂଲ୍ୟର ପଦାର୍ଥ । ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କ ସଂପ୍ରସାରଣରେ ଭାରତ ଯେଉଁ ଲମ୍ବା ଲମ୍ଫ ଦେଇଛି ତାହା ହେବେ ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ।

Comments are closed.