Odisha Link
Bridging the Missing Links in Odisha

ବନ୍ଦ ହେଇଗଲା ରାଜ୍ୟସଭା ଟିଭି

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଏକ ବିରଳ ଘଟଣା ଘଟିଛି। ହଠାତ୍‌ କିଛି ସମୟ ପାଇଁ ରାଜ୍ୟସଭା ଟିଭି ବନ୍ଦ ହୋଇଯାଇଥିଲା। କାରଣ ରାଜ୍ୟସଭାରେ ଆଜି ନାଗରିକତା ସଂଶୋଧନ ବିଲ୍ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ବିଲ୍ ଉପରେ ବେଶ ଗରମାଗରମ ଆଲୋଚନା ଚାଲିଛି। ବିରୋଧୀ ଦଳମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଘେରିଛନ୍ତି। ତେବେ ଆଜି ପରିସ୍ଥିତି ଏତେ ସରଗରମ ହୋଇଥିଲା ଯେ ବାଧ୍ୟ ହୋଇ ରାଜ୍ୟସଭା ଟିଭିର ପ୍ରସାରଣକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା।

ଏହି ବିଲ ଉପରେ ଅମିତ ଶାହା ନିଜର ବକ୍ତବ୍ୟ ରଖୁଥିବାବେଳେ କଂଗ୍ରେସ, ଡିଏମକେ, ଟିଏମସି, ଆରଜେଡି, ବିଏସପି, ଏସପି ପରି ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରୁଥିଲେ ଓ ଗୃହକାର୍ୟ୍ୟରେ ବ୍ୟାଘାତ ସୃଷ୍ଟି କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ହଟ୍ଟଗୋଳ କରୁଥିବା ସଦସ୍ୟମାନଙ୍କୁ ଚେତାବନୀ ଦେବା ସହ ସେମାନଙ୍କ ବକ୍ତବ୍ୟ ରେକର୍ଡକୁ ଯିବନାହିଁ ବୋଲି କହିଥିଲେ । ଏହି ସମୟରେ ସେ ଲାଲ ଆଲୋକ ଦବାଇଥିଲେ । ଏହାର ଅର୍ଥ ହେଉଛି ପ୍ରସାରଣ ବନ୍ଦ ପାଇଁ ସେ ନିର୍ଦ୍ଦେଶ ଦେଲେ । ସୂତ୍ର ଅନୁସାରେ, ରାଜ୍ୟସଭା ଟିଭିର ସିଧାପ୍ରସାରଣ ସେତେବେଳେ ବନ୍ଦ ହୁଏ, ଯେତେବେଳେ ଅଧ୍ୟକ୍ଷ ଏକ ରେଡ୍‌ ଲାଇଟ୍‌ ସୁଇଚ୍‌କୁ ଚିପିବେ।

ରାଜ୍ୟସଭା ଟିଭି ପୁଣି କାର୍ଯ୍ୟକ୍ଷମ ହେଲା ବେଳକୁ ଗୃହ କାର୍ଯ୍ୟ ଠିକ ଭାବେ ଚାଲିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ କେବଳ ଅମିତ ଶାହ ନିଜ ଆସନରେ ଛିଡ଼ା ହୋଇ ସିଏବି ଉପରେ ମତ ରଖୁଥିଲେ।

Comments are closed.