Odisha Link
Bridging the Missing Links in Odisha

CAB: ଆସାମରେ ଇଣ୍ଟରନେଟ୍‌ ସେବା ବନ୍ଦ, ଟୁଇଟରରେ ଶାନ୍ତିରକ୍ଷା ପାଇଁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର-ପୂର୍ବ ଭାରତ ଅଶାନ୍ତ। ଏହି ବିଲକୁ ବିରୋଧ କରି ଆସାମରେ ଅଶାନ୍ତି ଲାଗି ରହିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଟୁଇଟ କରି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ମୁଁ ଆସାମର ସମସ୍ତ ଭାଇ ଓ ଭଉଣୀଙ୍କୁ ଆଶ୍ୱସ୍ତ କରୁଅଛି ଯେ ସଂପ୍ରତି ନାଗରିକ ସଂଶୋଧନ ବିଧେୟକ ପାରିତ ହୋଇଥିବା କାରଣରୁ ସେମାନେ କୌଣସି ପ୍ରକାର ବିବ୍ରତ ହେବାର ଆବଶ୍ୟକତା ନାହିଁ।

ଏଥିସହ ଆହୁରି କହିଛନ୍ତି ଯେ, ମୁଁ ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହିଁବି,କେହି ସେମାନଙ୍କର ଅଧିକାର, ଅସ୍ମିତା ଏବଂ ସୁନ୍ଦର ସଂସ୍କୃତିକୁ ଛିନ୍ନ କରିବ ନାହିଁ।ଏହା ନିରନ୍ତର ବିକଶିତ ଓ ବର୍ଦ୍ଧିତ ହେଉଥିବ।

ଅନ୍ୟପଟେ ଆସାମରେ ଗତକାଲି ସନ୍ଧ୍ୟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ଫଳରେ ଆସାମର ଜନତା ମୋଦିଙ୍କ ଏହି ଶାନ୍ତିରକ୍ଷା ନିବେଦନ ପଢ଼ି ପାରିବେ ନାହିଁ। ସୂଚନାଥାଉକି, ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର- ପୂର୍ବ ରାଜ୍ୟରେ ଅଶାନ୍ତି ଲାଗିରହିଛି। ଆସାମ, ମଣିପୁର, ତ୍ରିପୁରା ଭଳି ରାଜ୍ୟରେ ବିଭିନ୍ନ ସଙ୍ଗଠନମାନେ ରାଜରାସ୍ତାକୁ ଓହ୍ଲାଇ ଏହାକୁ ବିରୋଧ କରିବାରେ ଲାଗିଛନ୍ତି। ଏପରିକି କେତେକ ସ୍ଥାନରେ ଜଳାପୋଡ଼ା ମଧ୍ୟ ଦେଖିବାକୁ ମିଳିଛି। ବୁଧବାରଠୁ ଗୌହାଟୀରେ କର୍ଫ୍ୟୁ ଜାରି କରାଯାଇଛି ଏବଂ ଆସାମରେ ଗତକାଲିଠାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ମଧ୍ୟ ବାତିଲ୍ କରିଦିଆଯାଇଛି। ରାଜ୍ୟରେ ବ୍ୟାପକ ହିଂସାଯୋଗୁ ଗୁରୁବାର ଗୌହାଟୀ ଓ ଦିବ୍ରୁଗଡ଼ରେ ବିମାନ ଉଡ଼ାଣକୁ ମଧ୍ୟ ବାତିଲ୍ କରିଦିଆଯାଇଛି।

ସୂଚନାଯୋଗ୍ୟ, ଲୋକସଭା ପରେ ଗତକାଲି ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ ପାସ୍ ହୋଇଯାଇଛି। ଏହାକୁ ନେଇ ଉତ୍ତର-ପୂର୍ବ ଲୋକମାନେ ଜୋରସୋରରେ ବିରୋଧ କରୁଛନ୍ତି। ଏହି ବିଲ ଦ୍ୱାରା ପଡ଼ୋଶୀ ମୁସଲିମ୍ ବହୁଳ ରାଜ୍ୟର ଅଣହିନ୍ଦୁ ଶରଣାର୍ଥୀମାନେ ଭାରତର ନାଗରିକତା ପାଇପାରିବେ। ତେବେ ଏହାଦ୍ୱାରା ଉତ୍ତର ପୂର୍ବଞ୍ଚଳ ଲୋକମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି କୁହାଯାଉଛି।

Comments are closed.