Odisha Link
Bridging the Missing Links in Odisha

ମେକ୍ ଇନ୍ ଓଡ଼ିଶା ଷ୍ଟାର୍ଟଅପ୍‌ ତାଲିକାରେ ଓଡ଼ିଶା ପ୍ରଥମ

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ଆଉ ଏକ ସଫଳତା ମିଳିଛି। ଜାତୀୟ ସ୍ତରରେ ୨୦୧୮ ମସିହା ପାଇଁ ‌ଷ୍ଟାର୍ଟ ଅପ୍ ତାଲିକାରେ ଶୀର୍ଷରେ ରହିଛି ଓଡ଼ିଶା । ୨୦୧୫-୧୬ ତୁଳନାରେ ୨୦୧୭-୧୮ରେ ଓଡ଼ିଶାରେ ଷ୍ଟାର୍ଟଅପ୍ ଉଦ୍ୟୋଗ ଆରମ୍ଭ କରିବାରେ ୮୪% ବୃଦ୍ଧି ଘଟି ଥିବା ବେଳେ ଜାତୀୟ ସ୍ତରରେ ଏହି ଅଭିବୃଦ୍ଧି ହାର ୬୨% ରହିଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓଡ଼ିଶାରେ ଷ୍ଟାର୍ଟ ଅପ୍ ଉଦ୍ୟୋଗ ଆରମ୍ଭ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ରାଜ୍ୟ ଷ୍ଟାର୍ଟଅପ୍ ପାଣ୍ଠିର ଆର୍ଥିକ ଏବଂ ବୈଷୟିକ ଢାଞ୍ଚା ଉପରେ ତଥ୍ୟ ରଖିଥିଲେ। ଶ୍ରୀ ଶର୍ମା କହିଥିଲେ, ଏପର୍ଯ୍ୟନ୍ତ ରାଜ୍ୟରେ ୫୦୦ ଷ୍ଟାର୍ଟଅପ୍ ପଞ୍ଜୀକରଣ ହୋଇଛନ୍ତି। ୨୦୧୭ ମସିହାରୁ ଇତିମଧ୍ୟରେ ୫୭ ପ୍ରତିଶତ ସଂସ୍ଥା ପଞ୍ଜୀକରଣ କରିଛନ୍ତି। ପଞ୍ଜୀକୃତ ‌ଷ୍ଟାର୍ଟଅପ୍ ମଧ୍ୟରୁ ୧୫୦ ଷ୍ଟାର୍ଟଅପ୍ ମହିଳା ଉଦ୍ୟୋଗୀମାନଙ୍କ ଦ୍ବାରା ସ୍ଥାପନ ହୋଇଛି। ଅର୍ଥାତ୍ ମୋଟ ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ମହିଳା ଉଦ୍ୟୋଗୀମାନେ କରିଛନ୍ତି। ଏହି ଅବସରରେ ଶିଳ୍ପ ସଚିବ କହିଥିଲେ, ଭାରତ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ୨୦୧୮ ଷ୍ଟାର୍ଟଅପ୍ ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ହାସଲ କରିଛି। ରାଜ୍ୟ ଷ୍ଟାର୍ଟଅପ୍ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ସୃଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକତା ଅନୁଯାୟୀ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଏହା କରାଯିବ।

Comments are closed.