ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସେନାର କଡ଼ା ଜବାବ

ଜାମ୍ମୁ: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାର କୃଷ୍ଣା ଘାଟି ଏବଂ ମନକୋଟ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଆକ୍ରମଣ ହୋଇଥିଲା। ଏହାର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା ଏଥିରେ ତତ୍ତାପାନୀ ଏବଂ କୁପୱାଡ଼ା ସେକ୍ଟରରେ ଥିବା ଆତଙ୍କବାଦୀଙ୍କ ଅନେକ ଲଞ୍ଚପ୍ୟାଡ୍ ଧ୍ଵଂସ ହୋଇଯାଇଛି। ଏହା ସହିତ କୁପୱାଡ଼ା ସେକ୍ଟର ସାମ୍ନା ଅଥମୁକ୍କମ ସ୍ଥିତ ପାକିସ୍ତାନୀ ବ୍ରିଗେଡ୍ କାର୍ଯ୍ୟାଳୟ, ଏସଏସଜି କେନ୍ଦ୍ରକୁ ମଧ୍ୟ କ୍ଷତି ପହଞ୍ଚିଛି। ସେନାର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକାଧିକ ସୈନ୍ୟ ଏବଂ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।
ସେନାକୁ ଖବର ମିଳିଥିଲା ଯେ, ଲଶ୍କର-ଏ-ତୋଇବା ଏବଂ ଜୈଶ ଆତଙ୍କୀ ସଂଗଠନର ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟରେ ଏକାଠି ହୋଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରିବା ଲାଗି ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଫଳରେ ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଭାରତୀୟ ସେନାର ପ୍ରତିଆକ୍ରମଣରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କର କ’ଣ କ୍ଷୟକ୍ଷତି ଘଟିଛି ତାହାର ପ୍ରକୃତ ତଥ୍ୟ ଜଣାପଡ଼ି ନାହିଁ।