Odisha Link
Bridging the Missing Links in Odisha

ଭାରତ-ଚୀନ ସୀମା ବିବାଦକୁ ନେଇ ଆଲୋଚନା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଉଛି। ଆଜି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇ ଏ ସଂପର୍କରେ ଆଲୋଚନା କରିଛନ୍ତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି ଜଣାପଡ଼ିଛି। ଏହି ଆଲୋଚନା ପାଇଁ ଓ୍ଵାଙ୍ଗ ଗତ ସେପ୍ଟେମ୍ବର ମାସରେ ଭାରତ ଆସିବାକୁ ଥିଲେ ମଧ୍ୟ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ସ୍ୱତନ୍ତ୍ର ପ୍ରତିନିଧି ଫ୍ରେମଓ୍ଵାର୍କ ମାଧ୍ୟମରେ ଆଲୋଚନା କରୁଛନ୍ତି। ଇତି ମଧ୍ୟରେ ୨୧ଥର ଆଲୋଚନା ହୋଇସାରିଲାଣି।

ଭାରତ ଓ ଚୀନ ମଧ୍ୟରେ ପ୍ରାୟ ୩୫୦୦ କିଲୋମିଟର ଲମ୍ବ ସୀମା ଥିବାବେଳେ ଗତ ଅନେକ ବର୍ଷ ହେଲା ଏହାକୁ ନେଇ ବିବାଦ ଚାଲିଆସିଛି । ୧୯୬୨ରେ ଏହାକୁ ନେଇ ଯୁଦ୍ଧ ମଧ୍ୟ ହୋଇଛି। ସୀମାକୁ ନେଇ ଦୁଇଦେଶର ସେନା ମୁହାଁମୁହିଁ ହେବା ନିୟମିତ ଘଟଣା। ଏବେ କିନ୍ତୁ ଏହି ବିବାଦର ସମାଧାନ କରି ସୀମାରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାକୁ ଗତ କିଛି ବର୍ଷ ଧରି ଦୁଇ ଦେଶ ଉଦ୍ୟମ କରୁଛନ୍ତି । ଗତ ଅକ୍ଟୋବର ମାସରେ ତାମିଲନାଡ଼ୁରେ ଅନୁଷ୍ଠିତ ଚୀନ ରାଷ୍ଟ୍ରପତି ସି ଜିନ ପିଂ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଣ-ଔପଚାରିକ ଆଲୋଚନାରେ ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ରାଜି ହୋଇଥିଲେ।

Comments are closed.