ରକ୍ତ ଜୁଡୁବୁଡୁ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ। କାରଣ ଦୁର୍ଘଟଣା ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।
ସୂଚନାଥାଉକି, ଶେରଗଡ ମାରୁଡି ଛକ ନିକଟରେ ଟାଟାଏସି ଧକ୍କାରେ ବାଇକ ଚାଳକ ଶିବରାମ ପ୍ରଧାନ ଗୁରୁତର ହୋଇଥିଲେ। ମାରୁଡି ଅଭିମୁଖେ ଯୁବକ ଜଣଙ୍କ ଯାଉଥିବା ବେଳେ ତାରାତାରିଣୀ ପଟୁ ଆସୁଥିବା ଏକ ପାଣି ବୋଝେଇ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଆଉ ଦୁର୍ଘଟଣାରେ ଯୁବକ ଜଣଙ୍କ ଛିଟିକି ପଡି ରାସ୍ତାରେ ଗୁରୁତର ହୋଇ ପଡିଥିଲେ।
ତେବେ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖି କାର୍ଯ୍ୟକ୍ରମ ସାରି ଫେରୁଥିବା ଜିଲ୍ଲାପାଳ ଗାଡି ଅଟକାଇ ସେଠାକୁ ଯାଇଥିଲେ। ଆଉ ଗୁରୁତର ଯୁବକଙ୍କ ଅବସ୍ଥା ଦେଖି ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡିରେ ହିଁ ତାଙ୍କୁ ମେଡିକାଲ ଆଣିଥିଲେ। ତେବେ ରାସ୍ତା କଡରୁ ଉଠାଇ ଗୁରୁତର ଯୁବକଙ୍କୁ ହିଂଜିଳି ମେଡିକାଲରେ ଭର୍ତ୍ତି କରାଇବା ପରେ ଜିଲ୍ଲାପାଳଙ୍କ ମଣିଷପଣିଆକୁ ସମସ୍ତେ ସଲାମ କରିଛନ୍ତି।