Odisha Link
Bridging the Missing Links in Odisha

କୋଲକାତା: ସିଏଏ ସପକ୍ଷରେ ବିଜେପିର ରାଲି, ଯୋଗଦେଲେ ଜେପି ନଡ୍ଡା

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଜଣାଇ କୋଲକାତାରେ ରାଲି କରିଛି ଭାରତୀୟ ଜନତା ପାର୍ଟି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଏହାପରେ ନଡ୍ଡା ଏକ ବିଶାଳ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ରାଲିର ଶେଷରେ ଏକ ସଭାର ଆୟେଜନ କରାଯାଇଥିଲା। ଯେଉଁଠି ନଡ୍ଡା ଲୋକମାନଙ୍କୁ ନାଗରିକତା ସଂଶୋଧନ ଆଇନ ବିଷୟରେ ସୂଚନା ଦେବାସହ ଲୋକମାନଙ୍କୁ ହିଂସା ନକରି ଆଇନ କଣ ଭଲ ଭାବେ ବୁଝିବାକୁ ଅନୁରୋଧ କରିଥିଲେ। ଏହା ପୂର୍ବରୁ ଜେପି ନଡ୍ଡା କଲକାତାରେ ପହଞ୍ଚିବା ପରେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୌଳାଶ ବିଜୟବର୍ଗ ତାଙ୍କୁ ସ୍ବାଗତ କରିଥିଲେ।

ଅନ୍ୟପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକମାନଙ୍କ ମନରେ ଥିବା ଭ୍ରମ ଧାରଣା ଦୂରକରିବା ପାଇଁ ବିଜେପି ୧୦ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି। ଦେଶର ବିଭିନ୍ନ ସ୍ଥାନରେ କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ଜନ ସଚେତନା ମୂଳକ ରାଲି କରିବାକୁ ନିଷ୍ପତ୍ତି ନେଇଛି ।

ରାଷ୍ଟ୍ରୀୟ ପଦାଧିକାରୀ ମାନେ ଶନିବାର ଏନେଇ ଦିଲ୍ଲୀରେ ବୈଠକ କରିଥିଲେ। ଯେଉଁଥିରେ ୩ କୋଟିରୁ ଅଧିକ ପରିବାର ସହ ଯୋଗାଯୋଗ କରାଯାଇ ସିଏଏ ସପକ୍ଷରେ ବାର୍ତ୍ତା ଦିଆଯିବ। ବିଜେପି ଏହି ଆଧାରରେ ୧୦୦୦ ରାଲି କରିବାକୁ ନିଷ୍ପତ୍ତି ନେଇଛି। ରାଲିରେ ସ୍ଥାନୀୟ ଓ କେନ୍ଦ୍ରୀୟ ନେତା ସାମିଲ ହେବାକୁ କୁହାଯାଇଛି। ପାର୍ଟି ତରଫରୁ ୨୫୦ଟି ସାମ୍ବାଦିକ ସମ୍ମିଳନୀ କରାଯିବ। ଏହାକୁ କେନ୍ଦ୍ରମନ୍ତ୍ରୀ ଅଥିବା ପାର୍ଟିର ମୁଖପାତ୍ର ସମ୍ବୋଧିତ କରିବେ। ବିଜେପିର ଅଭିଯୋଗ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଦ୍ବାରା ଭ୍ରମ ଧାରଣା ପ୍ରଚାର ପ୍ରସାର କରାଯାଉଛି।ଯାହା ଫଳରେ ଦେଶରେ ହିଂସା ସୃଷ୍ଟି ହେଉଛି।

Comments are closed.