Odisha Link
Bridging the Missing Links in Odisha

ବିଜେପି: ଗୋଟିଏ ବର୍ଷରେ ଖସିଲାଣି ୫ ରାଜ୍ୟ

ଭୁବନେଶ୍ବର: ସାରା ଦେଶକୁ କଂଗ୍ରେସ ମୁକ୍ତ କରିବାକୁ ପଣ କରିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସିବାରେ ଲାଗିଛି। ୨୦୧୪ରେ ଦେଶରେ କ୍ଷମତାକୁ ଫେରିଥିବା ବିଜେପି ୨୦୧୮ ସୁଦ୍ଧା ୨୧ଟି ରାଜ୍ୟକୁ ନିଜ ଅକ୍ତିଆରକୁ ନେଇ ଦେଶର ୭୦% ଲୋକଙ୍କୁ ଶାସନ କରିବାର ସୁଯୋଗ ପାଇଥିଲା। ତେବେ ଗତ ଗୋଟିଏ ବର୍ଷ ଭିତରେ ବିଜେପିକୁ ବଡ଼ ଝଟ‌୍‌କା ଲାଗିଛି। ଗୋଟି, ବର୍ଷ ଭିତରେ ବଡ଼ ବଡ଼ ୪ଟି ରାଜ୍ୟରେ କ୍ଷମତାରୁ ବେଦଖଲ ହୋଇଥିବା ବିଜେପି ହାତରୁ ଝାଡ଼ଖଣ୍ଡ ମଧ୍ୟ ଖସିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ ଝାଡ଼ଖଣ୍ଡକୁ ନିଜ ଅକ୍ତିଆରକୁ ଆଣିଥିବା ବେଳେ ତତ୍‌କାଳୀନ ଜମ୍ମୁ ଓ କଶ୍ମୀରରେ ମଧ୍ୟ ଆଖିଦୃଶିଆ ସଫଳତା ପାଇ ମିଳିତ ମେଣ୍ଟ ସରକାର ଗଢ଼ିବାରେ ସଫଳ ହୋଇଥିଲା। ଦିଲ୍ଲୀ ଓ ପଞ୍ଜାବକୁ ଛାଡ଼ି ସମଗ୍ର ଉତ୍ତର ଭାରତକୁ ନିଜ ଶାସନାଧୀନ କରିଥିଲା ବିଜେପି। ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ମେଣ୍ଟ ସରକାରରେ ଥିଲା ବିଜେପି। ଗୋଆକୁ ମଧ୍ୟ ନିଜ କବ୍ଜାକୁ ଆଣିବାରେ ସମର୍ଥ ହୋଇଥିଲା ବିଜେପି। ଧୀରେ ଧୀରେ ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଓ ଅସାମ ଭଳି ଉତ୍ତରପୂର୍ବ ରାଜ୍ୟକୁ ନିଜ ଶାସନକୁ ଆଣି ୩୦ ରାଜ୍ୟରୁ ୨୧ଟିରେ ଗୈରିକ ଶାସନର ଦୃଢ଼ ସଂକେତ ଦେଇଥିଲା ଏହି ଜାତୀୟ ଦଳ।

ତେବେ ଗତ ଗୋଟିଏ ବର୍ଷରେ ଦଳକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। କେନ୍ଦ୍ରରେ ପୂର୍ଣ୍ଣ ବହୁମତ ଆସିଥିଲେ ହେଁ ମୋଦିଙ୍କ ମ୍ୟାଜିକ୍‌ ଆଉ ପୂର୍ବଭଳି ରାଜ୍ୟଗୁଡ଼ିକୁ ପ୍ରଭାବିତ କରିପାରୁନାହିଁ। ଚଳିତ ବର୍ଷ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ବିଜେପିକୁ ଜନମତ ମିଳିନଥିବା ବେଳେ ଆଜି ଝାଡ଼ଖର‌ହରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଝାଡ଼ଖଣ୍ଡରେ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇ ନଥିଲେ ହେଁ ବିଜାପିକୁ ପଛରେ ପକାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେ ଏମ୍ଏମ୍) ସର୍ବାଧିକ ୩୦ ଆସନ ପାଇଛି। ଜେଏମ୍ଏମ୍‌ର ଅନ୍ୟତମ ସହଯୋଗୀ କଂଗ୍ରେସ୍‌ ୧୫ ଆସନ ପାଇଥିବା ବେଳେ ବିଜେପିକୁ ୨୬ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଜେଏସ‌୍‌ୟୁ ୨, ଜେଭିଏମ୍‌ ୩ ଓ ଆରଜେଡ଼ିକୁ ୧ ଆସନ ମିଳିଛି। ଜେଡିୟୁ ଓ ଏଲ୍‌ଜେପି ଝାଡ଼ଖଣ୍ଡରେ ଖାତା ଖୋଲି ପାରିନାହାନ୍ତି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୧ ଆସନର ଆବଶ୍ୟକତା ଥିବା ବେଳେ କଂଗ୍ରେସ୍-ଜେଏମ୍‌ଏମ୍-ଆରଜେଡି ମେଣ୍ଟ ୪୫ ଆସନ ପାଇଛନ୍ତି। ଯଦି ମେଣ୍ଟ ଠିକଠାକ ରହେ ତେବେ ବିଜେପି ବିରୋଧୀ ଆସନରେ ବସିବା ଏକପ୍ରକାର ନିଶ୍ଚିତ। ତେବେ ଆବଶ୍ୟକ ଆସନ ନପାଇ ମଧ୍ୟ ମେଘାଳୟ, ମଣିପୁର ଓ ଗୋଆରେ ପୂର୍ବରୁ କ୍ଷମତା ଦଖଲ କରିଥିବା ବିଜେପି ଝାଡ଼ଖଣ୍ଡରେ ଯଦି ଅନୁରୂପ ଚାଲ୍‌ ଖେଳେ ତେବେ କ୍ଷମତାକୁ ଆସିବା ଆଦୌ ଅସମ୍ଭବ ନୁହେଁ।

Comments are closed.