Odisha Link
Bridging the Missing Links in Odisha

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ମାଲକାନଗିରି ଜିଲ୍ଲାଗସ୍ତ

ଭୁବନେଶ୍ୱର : ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ।ମଧ୍ୟାହ୍ନରେ ମନ୍ତ୍ରୀ ମାଲକାନଗିରି ପହଞ୍ଚିବା ସହ ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଇଥିଲେ । ବୈଠକରେ ଗତ ସେପ୍ଟେମ୍ବର ୧୦ ତାରିଖରେ ଅନୁଷ୍ଠିତ ବୈଠକର ପ୍ରସ୍ତାବମାନ ଗୃହୀତ ହୋଇଥିଲା ।

ବୈଠକରେ ଜିଲ୍ଲା ନିମନ୍ତେ ୨୦୧୯-୨୦ର ବାର୍ଷିକ ଯୋଜନା ଚିଠା ଉପସ୍ଥାପିତ ହୋଇଥିଲା । ଏଥି ସହିତ ମନ୍ତ୍ରୀ ବେହେରା ମାଲକାନଗିରି ଜିଲ୍ଲାର ବିଦ୍ୟୁତିକରଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହା ବ୍ୟତୀତ ପାଣି ପଞ୍ଚାୟତକୁ ସୁଦୃଢ଼ କରିବା ଉପରେ ସେ ମତ ଦେଇଥିଲେ । ସତୀଗୁଡ଼ାଠାରେ ମାଛଚାଷ, ବ୍ୟାପକ ବୃକ୍ଷରୋ ପଣ କାର୍ଯ୍ୟକ୍ରମ କରାଯିବା ପାଇଁ ମନ୍ତ୍ରୀ ବେହେରା ପରାମର୍ଶ ଦେଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ସହିତ ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ଇତ୍ୟାଦିର ବ୍ୟବସ୍ଥା କରିବା ସହିତ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଶିକ୍ଷା, ଗମନାଗମନ ଓ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଆସନ୍ତାକାଲି ମନ୍ତ୍ରୀ ବେହେରା, ମାଲକାନଗିରି ଜିଲ୍ଲା ପାଳ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଜିଲ୍ଲା ସର୍କିଟ୍‌ ହାଉସ୍‌ରେ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମନ୍ତ୍ରୀ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିବେ । ଏଥି ସହ ମିନିଷ୍ଟାଡିୟମ୍‌ ନିର୍ମାଣର ବର୍ତ୍ତମାନ ସ୍ଥିତି, କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.