Odisha Link
Bridging the Missing Links in Odisha

ଦେଶର ପ୍ରଥମ ଦୂରଗାମୀ ସିଏନ୍‌ଜି ବସ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍‌ଜି ବସର ଶୁଭାରମ୍ଭ କରିବା ପରେ ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ ଆଇଜିଏଲ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ ।

ବସରେ ବ୍ୟବହୃତ ହେଉଥିବା ସିଏନଜି ସିଲିଣ୍ଡରରେ ଥରେ ମାତ୍ର ସିଏନଜି ଭରିଲେ ବସଟି ୧ ହଜାର କିମି ପର୍ଯ୍ୟନ୍ତ ଯାତାୟତ କରିପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ୫ଟି ଦୂରଗାମୀ ସିଏନଜି ବସ୍ ଯାତାୟତ କରିବ । ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଏଭଳି ବସ୍ ଯାତାୟତ କରିବ ବୋଲି ପ୍ରଧାନ ସୂଚନା ଦେଇଛନ୍ତି ।

ପ୍ରଧାନ କହିଛନ୍ତି ଯେ ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ ଇନ୍ଧନ ତୁଳନାରେ ଭଲ । ଯଦ୍ୱାରା ଅଧିକ ସମୟ ମଧ୍ୟ ବଂଚାଯାଇପାରିବ । ଆଗାମୀ ପିଢିଙ୍କୁ ଭଲ ଭିତିଭୂମି ଉପଲବ୍ଧ କରେଇବାରେ ତଥା ସେମାନଙ୍କ ଜୀବନ ଶୈଳି ପରିବର୍ତନ କରିବାରେ ଏହା ଭାରତ ସରକାରଙ୍କ ବଡ ପଦକ୍ଷେପ ବୋଲି ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ଏକ ସ୍ଥିର ମୂଲ୍ୟ ଆଧାରିତ ବଜାର ଅଟେ । ତେଣୁ ଦେଶରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଭାରତ ସରକାରଙ୍କର ପ୍ରତିଶ୍ରୁତି ରହିଛି । ପୂର୍ବରୁ ସରକାର ପିଏନଜି ଓ ସିଏନଜି ଗ୍ୟାସ ଉପରେ ଗୁରୁତ୍ୱ ଦେଉନଥିଲେ । ମାତ୍ର ମୋଦି ସରକାର ଆସିବା ପରେ ପିଏନଜି ଓ ସିଏନଜିକୁ ଗୁରୁତ୍ୱ ଦେଇଛନ୍ତି । ଏବେ ଗ୍ୟାସର ଦାମ କମ୍ ହୋଇ ମଧ୍ୟ ଆଇଜିଏଲର ବ୍ୟବସାୟିକ ଲାଭ ହୋଇଥିବା ପ୍ରଧାନ ପ୍ରକାଶ କରିଛନ୍ତି । ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଉଦ୍ୟମ ଜାରୀ ରହିଛି ।

ଦେଶରେ ଉର୍ଜା ଭିତିଭୂମିର ବିକାଶ ପାଇଁ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯାଉଛି । ପୂର୍ବରୁ ୧୯୯୮ ରୁ ୨୦୧୪ ମଧ୍ୟରେ ସାରା ଦେଶରେ ୩୪୦ ସିଏନଜି ଷ୍ଟେସନ ଥିଲା । ବିଗତ ୫ ବର୍ଷରେ ନୂଆ ୧୭୫ ସିଏନଜି ଷ୍ଟେସନ ଖୋଲାଯାଇଥିଲା ବେଳେ ଏବେ ତାହା ବଢି ମୋଟ ୫୧୫ ସିଏନଜି ଷ୍ଟେସନ ସ୍ଥାପନ ହେଲାଣି । ସେହିପରି ଦେଶରେ ପିଏନଜି ସଂଯୋଗ ୫ ଲକ୍ଷରୁ ୧୨ ଲକ୍ଷରେ ପହଁଚିଛି ।

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତାଙ୍କର ଦୃଢ ରାଜନୈତିକ ଇଚ୍ଛା ଶକ୍ତି କାରଣରୁ ୪୦୦ ଜିଲ୍ଲାରେ ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କ ପ୍ରତିଷ୍ଠା ହୋଇପାରିଛି । ପ୍ରଧାନ କହିଛନ୍ତି ଯେ ସିଏନଜି ବସ ଆରମ୍ଭ ହେବା ନୂଆ କଥା ନୁହେଁ ବରଂ ଲମ୍ବା ଯାତ୍ରା କରିପାରୁଥିବା ବସ ଆରମ୍ଭ କରାଯିବାର ନୂଆ ଅଧ୍ୟାୟ ଆଜି ଆରମ୍ଭ ହୋଇଛି । ଭାରତ ଅନ୍ୟ ଦେଶ ତୁଳନାରେ ପ୍ରଦୂଷଣ ଦେଶ ନୁହେଁ । ମାତ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ବା ବିଶ୍ୱର ଚିନ୍ତା କାରଣରୁ ଅଙ୍ଗାରକାମ୍ଲ ହ୍ରାସ ପାଇଁ ସ୍ବଚ୍ଚ ଇନ୍ଧନ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଉଛି ।

ସେ କହିଛନ୍ତି ଯେ ପ୍ରଦୂଷଣରୁ ରକ୍ଷା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ସବୁ ପ୍ରକାର ଇନ୍ଧନକୁ ଆହୁରି ସ୍ୱଚ୍ଛ କରାଯିବା ନେଇ ଉଦ୍ୟମ ଜାରୀ ରହିଛି । ଡିଟିସି ଏବଂ ଆଇଓସିର ମିଳିତ ଉଦ୍ୟମରେ ସିଏନଜି ଓ ହାଇଡ୍ରୋଜେନ୍‌କୁ ମିଶ୍ରଣ କରି ଆହୁରି ବିଶୁଦ୍ଧରୁ ବିଶୁଦ୍ଧ ଇନ୍ଧନ ତିଆରି କରାଯିବ । ଅନ୍ତତଃ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସହରରେ ଏହାର ଶୁଭାରମ୍ଭ କରାଯିବ ।

ପ୍ରଧାନ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଜୈବ ଇନ୍ଧନକୁ ଅଧିକ ପ୍ରାଥମିକତା ଦେଉଛନ୍ତି ଓ ଖୁବ ଶୀଘ୍ର ଡିଜିଟାଇଲାଇଜେସନ ବା ମୋବାଇଲ ମାଧ୍ୟମରେ ପେଟ୍ରୋଲ, ଏଲପିଜି, ସିଏନଜି ପହଁଚାଇବା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ।

Comments are closed.