Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପହଞ୍ଚିଲେ ହର୍ଷବର୍ଦ୍ଧନ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ଏହି ଅବସରରେ ବିମାନବନ୍ଦର ଠାରେ ରାଜ୍ୟ ବିଜେପି ପକ୍ଷରୁ ହର୍ଷବର୍ଦ୍ଧନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ହର୍ଷବର୍ଦ୍ଧନ ଆଜି ଭୁବନେଶ୍ୱର ଏମ୍ସରେ ହେବାକୁଥିବା ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ। ଏଥିସହ ସାଂସଦ ଅପରାଜିତା ଷଡଙ୍ଗୀ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏମ୍ସର ପରିସରର ଚତୁର୍ଥ ମହଲାରେ ଥିବା ମଡ୍ୟୁଲାର ଅପରେସନ୍‌ ଥିଏଟର ଏବଂ ଚତୁର୍ଥ ମହଲାରେ ଥିବା ଆଇସିୟୁ କମ୍ପଲେକ୍ସ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଏହ‌ାପ‌ରେ ଏମ୍ସର ପ୍ରଥମ ମହଲାରେ ଥିବା କ୍ୟାଥେଲ୍ୟାବ୍‌ ଓ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଫ୍ଲ୍ୟୁରୋସ୍କୋପି (ଡିଏଫ୍‌ଆର)ବି ଉନ୍ମୋଚିତ ହେବ। ଏହାଫଳରେ ରୋଗୀ ପୂର୍ବ ଅପେକ୍ଷା ଏମ୍ସରୁ ଅଧିକ ସୁବିଧା ପାଇ ପାରିବେ। ଏଥିସହିତ ହସ୍‌ପିଟାଲ୍‌ର ପ୍ରଶାସନିକ ଭବନସ୍ଥିତ କନଫରେନ୍ସ ରୁମ୍‌ରେ ଚିକିତ୍ସା ବ୍ୟବସ୍ଥାକୁ ପ୍ରସାରିତ କରିବା ପାଇଁ ଏମ୍ସରେ କ’ଣ କ’ଣ ଉନ୍ନତି ହୋଇଛି ସେ ନେଇ ଏକ ସମୀକ୍ଷା ବୈଠକ କରାଯିବ।

Comments are closed.