Odisha Link
Bridging the Missing Links in Odisha

ସୂର୍ଯ୍ୟୋପରାଗ ପରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ବର : ଚଳିତବର୍ଷର ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଇଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି। ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ଅନ୍ୟ ଦେବାଦେବୀଙ୍କ ନୀତିକାନ୍ତି ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ନୀତିରେ ପୂଜା କରାଯାଇଛି। ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହୋଇଛି ଖଇକୋରା ଭୋଗ, ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ପହିଲିଭୋଗ, ଗୋପାଳବଲ୍ଲଭ ଓ ସକାଳଧୂପ ଅନୁଷ୍ଠିତ ହେବ।। ଗତକାଲି ରାତି ୮ଟା ୨୦ ସୁଦ୍ଧା ସଂଧ୍ୟାଧୂପ, ମଇଲମ ଓ ତଡ଼ପଲାଗି ନୀତି ଶେଷ ‌ପରେ ବାକି ନୀତି ବନ୍ଦ ରହିଥିଲା। ନୀତି ବନ୍ଦ ରହିଥିବାରୁ ବୁଧବାର ରାତିରେ ପହୁଡ଼ ନୀତି ବି ଅନୁଷ୍ଠିତ ହୋଇନଥିଲା ଏବଂ ରାତି ସାରା ଶ୍ରୀମନ୍ଦିର ଖୋଲାରହିଥିଲା।

ସୂଚନାଯୋଗ୍ୟ, ଆଜି ସକାଳ ୯ଟା ୪୬ ମିନିଟରେ ସୂର୍ଯ୍ୟୋପରାଗ ଓଡ଼ିଶାରେ ସର୍ବାଧିକ ଅଂଶରେ ଦେଖାଯାଇଛି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେଇଥିଲା। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହୋଇଥିଲା।

Comments are closed.