Odisha Link
Bridging the Missing Links in Odisha

ସାଧାରଣତନ୍ତ୍ର ଦିବସରେ ଭାଗ ନେଇ ପାରିବନି ୨୨ ରାଜ୍ୟର ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚଳିତ ଜାନୁଆରୀ ୨୬ ତାରିଖରେ ରାଜଧାନୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୧୩ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ ନାହିଁ। ବିଭିନ୍ନ ରାଜ୍ୟ ନିଜର ପ୍ରଜ୍ଞାପନ ମେଢ଼ର ନକ୍ସା ଓ ଏହା ବାବଦରେ ଉଲ୍ଲେଖ କରି କେନ୍ଦ୍ରକୁ ଆବେଦନ କରିଥିବା ବେଳେ ମାତ୍ର ୧୫ଟିକୁ ଭାଗ ନେବା ପାଇଁ ଗ୍ରହଣ କରାଯାଇଛି।

ଏଥିରେ ୧୪ଟି ରାଜ୍ୟ ଥିବା ବେଳେ ନବଗଠିତ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ରହିଛି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି। ଓଡ଼ିଶାର ପ୍ରଜ୍ଞାପନ ମେଢ଼ଟି ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି। ଯେଉଁ ଆଧାର ଅନୁସାରେ ଗୋଟିଏ ପ୍ରଜ୍ଞାପନ ମେଢ଼କୁ ଅନୁମୋଦନ ମିଳିବା କଥା ସେଥିରେ ଉଣା ଥିବାରୁ ଅନ୍ୟ ରାଜ୍ୟଗୁଡ଼ିକ ଆବେଦନ ଅଗ୍ରାହ୍ୟ ହୋଇଥିବା ପ୍ରତିରକ୍ଷା ବିଭାଗ କହିଛି।

ଅନୁମୋଦିତ ଅନ୍ୟ ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମେଘାଳୟ, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ। ଏହି ସବୁ ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଧାରଣ ତନ୍ତ୍ର ପରେଡ୍‌ ବେଳେ ଦିଲ୍ଲୀ ରାଜପଥରେ ଚାଲିବେ। ଏଥି ମଧ୍ୟରୁ ବିଜେପି ଓ ଏହାର ସହଯୋଗୀ ଦଳଙ୍କ ଦ୍ବାରା ଶାସିତ ୮ଟି ରାଜ୍ୟ ରହିଥିବା ବେଳେ କଂଗ୍ରେସ ଓ ସହଯୋଗୀଙ୍କ ଶାସିତ ୪ଟି ରାଜ୍ୟ ରହିଛି। ତିନୋଟି ଆଞ୍ଚଳିକ ଦଳ ଶାସିତ ରାଜ୍ୟ ମଧ୍ୟ ଅଛନ୍ତି।

ଏଥର ଓଡ଼ିଶା ଏକାଦଶ ଶତାବ୍ଦୀର ଲିଙ୍ଗରାଜ ମନ୍ଦିର ଓ ଏଠାରେ ହେଉଥିବା ରୁକୁଣା ରଥକୁ ନିଜର ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶନ କରିବେ।

Comments are closed.