Odisha Link
Bridging the Missing Links in Odisha

ଦେଶରେ ଅପରାଧ ବୃଦ୍ଧି ନେଇ ରିପୋର୍ଟ ଦେଲା ଏନ୍‌ସିଆରବି

ନୂଆଦିଲ୍ଲୀ: ବୃଦ୍ଧି ପାଉଛି ଦେଶରେ ଅପରାଧର ମାତ୍ରା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ମୁତାବକ ୨୦୧୭ ତୁଳନାରେ ୨୦୧୮ରେ ଦେଶରେ ଘଟୁଥିବା ଅପରାଧର ମାତ୍ରାରେ ୧.୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୮ରେ ଦେଶର ବିଭିନ୍ନ ସ୍ଥାନରେ ଦୈନିକ ହାରାହାରି ୮୦ଟି ହତ୍ୟା, ୨୮୯ଟି ଅପହରଣ ଓ ୯୧ଟି ଦୁଷ୍କର୍ମ ଘଟଣା ଘଟିଥିବା ଏନସିଆରବି ନିଜ ରିପୋର୍ଟରେ ଉଲ୍ଲେଖ କରିଛି।

‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ରିପୋର୍ଟ ୨୦୧୮’ ଶୀର୍ଷକରେ ଏନ୍‌ସିଆରବି ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଦେଶରେ ଅପରାଧର ମାତ୍ରା ୧.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ୨୦୧୮ରେ ସମଗ୍ର ଦେଶରେ ୫୦.୭୪ ଲକ୍ଷ ଅପରାଧିକ ଘଟଣା ଘଟିଥିବା ପୁଲିସ୍‌ରେ ରିପୋର୍ଟ ହୋଇଛି। ଏଥି ମଧ୍ୟରୁ ୩୧.୩୨ ଲକ୍ଷ ମାମଲା ଇଣ୍ଡିଆନ୍‌ ପେନାଲ କୋର୍ଡ (ଆଇପିସି) ଓ ୧୯.୪୧ ଲକ୍ଷ ମାମଲା ସ୍ପେଶାଲ ଲୋକାଲ ଲ (ଏସ୍‌ଏଲ୍‌ଏଲ୍‌) ଅଧୀନରେ ପଞ୍ଜିକୃତ ହୋଇଥିଲା। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ୨୦୧୮ରେ ୧.୦୫ଲକ୍ଷଟି ଅପହରଣ ଘଟଣା ଘଟିଥିଲା। ୨୦୧୭ ତୁଳନାରେ ଅପହରଣ ମାମଲାରେ ଅଭିବୃଦ୍ଧିର ହାର ରହିଥିଲା ୧୦ ପ୍ରତିଶତ। ୨୦୧୭ରେ ୯୫,୮୯୩ଟି ଅପହରଣ ଘଟଣା ଘଟିଥିଲା। ସେହିପରି ୨୦୧୮ରେ ସମଗ୍ର ଦେଶରେ ଘଟିଥିଲା ୨୯,୦୧୭ଟି ହତ୍ୟାକାଣ୍ଡ। ୨୦୧୭ ତୁଳନାରେ ହତ୍ୟା ଘଟଣାରେ ଅଭିବୃଦ୍ଧିର ହାର ୧.୩ ପ୍ରତିଶତ ଥିଲା।

Comments are closed.