Odisha Link
Bridging the Missing Links in Odisha

ବିଜେପି ଅଫିସ ପୋଡ଼ିରେ ତୃଣମୂଳ କଂଗ୍ରେସକୁ ଦାୟୀକଲା ବିଜେପି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଆସାନସୋଲ ଅନ୍ତର୍ଗତ ସାଲନପୁର ଗାଆଁରେ ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ରବିବାର ରାତିରେ କେତେକ ଦୁର୍ବୃତ୍ତ ପୋଡ଼ିପକାଇଛନ୍ତି। ଏହି ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଅଭିଯୋଗ କରିଛି ଯେ ଟିଏମ୍‌ସିର ଗୁଣ୍ଡାମାନେ ପୂର୍ବରୁ ମଧ୍ୟ ବିଜେପି ଅଫିସରେ ଏ ଭଳି ଆକ୍ରମଣ କରିଛନ୍ତି।ବିଜେପି ନେତା ଗୋପାଳ ରାୟ କହିଛନ୍ତି ଯେ ଏ ଅଞ୍ଚଳରେ ବିଜେପିର ପ୍ରଭାବ ବଢୁଥିବାରୁ ଟିଏମ୍‌ସି ଗୁଣ୍ଡାମାନେ ଦଳୀୟ କାର୍ଯ୍ୟାଳୟକୁ ପୋଡ଼ି ଦେଇଛନ୍ତି। ତୃଣମୂଳ କଂଗ୍ରେସ ଏ ଅଭିଯୋଗକୁ ଖଣ୍ଡନ କରିଛି।

କମ୍ବଳ ବଣ୍ଟନ ଲାଗି ବିଜେପି ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଏଠାରେ ବହୁ ଜନସମାଗମ ହୋଇଥିଲା। ଏଥିରେ ଟିଏମ୍‌ସି ଈର୍ଷିତ ହୋଇ ବିଜେପିର ଦଳୀୟ କାର୍ଯ୍ୟାଳୟ ପୋଡ଼ି ପକାଇଛି। ତୃଣମୂଳ କଂଗ୍ରେସର ନେତା ହରେରାମ ତିଓ୍ଵାରି ବିଜେପିର ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ବିଜେପିର କର୍ମୀମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଏ ଭଳି ଘଟଛି। ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତାମାନେ ମଦ୍ୟପାନ ସମେତ ସବୁ ପ୍ରକାରର ଅନୈତିକ କାର୍ଯ୍ୟ କରନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.