Odisha Link
Bridging the Missing Links in Odisha

ନିଯୁକ୍ତି ପାଇଲେ ୨୩ ଜଣ ସମବାୟ ନିରୀକ୍ଷକ

ଭୁବନେଶ୍ୱର : ରାଜ୍ୟର କୃଷି ଅର୍ଥନୀତି ସହିତ ସମବାୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ମୋଟ ଫସଲ ଋଣର ପ୍ରାୟ ୭୦ ପ୍ରତିଶତ ସମବାୟ ମାଧ୍ୟମରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ସମବାୟ ଆନ୍ଦୋଳନକୁ ଅଧିକ ସକ୍ରିୟ କରି ଏଥିରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଆବଶ୍ୟକ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସମ୍ମିଳନୀ କକ୍ଷରେ ନବନିଯୁକ୍ତ ସମବାୟ ବିଭାଗର ନିରୀକ୍ଷକମାନଙ୍କର ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସ୍ୱାଇଁ କହିଲେ ଯେ ରାଜ୍ୟର କୃଷକମାନଙ୍କ ମଧ୍ୟରେ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ତେଣୁ ସମବାୟ ମାଧ୍ୟମରେ ଫସଲ ଋଣ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକ ଯୋଗାଇଦେବା ପାଇଁ ଚାଷୀମାନଙ୍କ ସହିତ ସିଧାସଳଖ ଯୋଡି ହେବା ପାଇଁ ମନ୍ତ୍ରୀ ସମବାୟ ନିରୀକ୍ଷକମାନଙ୍କୁ ମନ୍ତ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ ‘ଟି’ ଆଧାରରେ ଦଳଗତ ପରିଚାଳନା, ବୈଷୟିକ ବିଦ୍ୟାର ପ୍ରୟୋଗ, ସମୟାନୁବର୍ତ୍ତିତା ଓ ସ୍ୱଚ୍ଛତା ଆନୁ ପାଳନ କରି ପରିବର୍ତ୍ତନର ସୂତ୍ରଧର ହେବା ପାଇଁ ମନ୍ତ୍ରୀ ସ୍ୱାଇଁ କହିଥିଲେ । ରାଜ୍ୟରେ ସଂପ୍ରତି ପ୍ରାୟ ୯୦୦୦ ସମବାୟ ସମିତି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରି ଲୋକମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।

ବିଭାଗ ପକ୍ଷରୁ ଚାଷୀମାନଙ୍କଠାରୁ ଧାନସଂଗ୍ରହ କାର୍ଯ୍ୟକ୍ରମରେ ପି- ପାସ୍‌ ବ୍ୟବସ୍ଥା, ଆଗୁଆ ଟୋକେନ୍‌ ପ୍ରଦାନ, ଅନ୍‌ଲାଇନ୍‌ରେ ଚାଷୀ ପଞ୍ଜୀକରଣ, ଆଧାର ପଞ୍ଜୀକରଣ, ଅନ୍‌ଲାଇନ୍‌ ମାଧ୍ୟମରେ ଚାଷୀଙ୍କୁ ଧାନ ବିକ୍ରୟଲବ୍ଧ ଅର୍ଥ ପ୍ରଦାନ ଆଦି ବ୍ୟବସ୍ଥା ସଂପ୍ରତି ସର୍ବଭାରତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି ଓ ଅନ୍ୟ ରାଜ୍ୟମାନେ ଏହି ପଦ୍ଧତି ଅନୁସରଣ କରିବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।

ବିଭାଗ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ଏବଂ ସମବାୟ ବ୍ୟାଙ୍କଗୁଡ଼ିକର ସଂପୂର୍ଣ୍ଣ କମ୍ପୁଟରାଇଜେସନ୍‌ ଉ ପରେ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଛି ବୋଲି ମନ୍ତ୍ର ସ୍ୱାଇଁ କହିଥିଲେ । ଏହି ପରିପ୍ରେକ୍ଷୀରେ ନବନିଯୁକ୍ତ ନିରୀକ୍ଷକମାନେ ନୂତନ ଜ୍ଞାନକୌଶଳ ଶିକ୍ଷା କରି ସେମାନଙ୍କର ଦକ୍ଷତାର ପ୍ରମାଣ ଦେବା ସହିତ ଜନସେବାରେ ନିୟୋଜିତ ହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ଦ୍ୱାରା ଯୋଗ୍ୟ ବିବେଚିତ ୨୩ ଜଣ ସମବାୟ ନିରୀକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୂହର ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ୍‌ର ସଭାପତି ଅକ୍ଷୟ କୁମାର ମହାନ୍ତି, ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଜେନା, ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଆଇଜିସିଏସ୍‌ ଭରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ସମବାୟ ନିରୀକ୍ଷକଙ୍କର ଭୂମିକା ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।

Comments are closed.