Odisha Link
Bridging the Missing Links in Odisha

ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଅଗ୍ରଣୀ ରାଜ୍ୟ : ପ୍ରତାପ

ଭୁବନେଶ୍ୱର :ସମଗ୍ର ଦେଶରେ ମହିଳାମାନଙ୍କୁ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ମହିଳାମାନେ କିଭଳି ସ୍ୱାବଲଞ୍ଚୀ ହୋଇ ପାରିବେ, ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହୋଇ ପାରିବେ ଏବଂ ସମାଜରେ ଆତ୍ମସମ୍ମାନର ସହ ଜୀବନ ବଞ୍ଚିବେ ସେଥି ପାଇଁ ରାଜ୍ୟ ସରକାର ବହୁବିଧା ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥି ପାଇଁ ମହିଳାମାନଙ୍କ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ସେମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ସହ ବ୍ୟାଙ୍କ ଋଣ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଜେନା କହିଲେ ଯେ ମହିଳାମାନେ କିଭଳି ସୁରକ୍ଷିତ ରହିବେ, ସେମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ ସେଥି ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ୪୫ଟି ନୂତନ କୋର୍ଟ ଖୋଲାଯିବ ।

ତନ୍ମଧ୍ୟରେ ନାବାଳିକାମାନଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡ଼ିକର ବିଚାର ପାଇଁ ୨୪ଟି ପୋକ୍‌ସୋ କୋର୍ଟ ଅନ୍ତର୍ଭୁକ୍ତ । ଏହା ଦ୍ୱାରା ମାମଲାଗୁଡ଼ିକ ଅତିଶୀଘ୍ର ଫଏସଲା ହୋଇ ପାରିବ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଲେ, ରାଜ୍ୟର ମହିଳମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନ୍ତରିକ ଉଦ୍ୟମ କରିଆସୁଛି ।

ଆୟୋଗର ପ୍ରଚେଷ୍ଟା ହେତୁ ମହିଳାମାନଙ୍କ କ୍ଷେତ୍ରରେ ହେଉଥିବା ଅନେକ ଘଟଣାର ମହିଳାମାନେ ନ୍ୟାୟ ପାଇବାରେ ସଫଳ ହୋଇଛନ୍ତି । ମହିଳାମାନଙ୍କ ସାମ୍ବିଧାନିକ ତଥା ମାନବିକ ଅଧିକାରର ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ମହିଳା ଆୟୋଗର ଯଥେଷ୍ଟ ସୁନାମ ରହିଛି । ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷତା କରି ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା କହିଲେ, ମହିଳାମାନଙ୍କ
ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଆୟୋଗ ସର୍ବଦା ତତ୍ପରତା ପ୍ରକାଶ କରିଆସିଛନ୍ତି ।

ଆୟୋଗ ଅଧୀନରେ ପଞ୍ଚୀକୃତ ହୋଇଥିବା ୭୨୨୯୯ଟି କେଶ୍‌ ମଧ୍ୟରୁ ୬୨୩୦୩ଟି କେଶ୍‌ରର ସମାଧାନ ହୋଇଥିବାବେଳେ ୯୯୯୬ଟି କେଶ୍‌ର ଶୁଣାଣି ଚାଲୁ ରହିଛି । ଏହା ବ୍ୟତୀତ ବିଭିନ୍ନ ସମ୍ବେଦନଶୀଳ ଘଟଣାଗୁଡ଼ିକରେ ମହିଳା ଆୟୋଗ ସ୍ୱତନ୍ତ୍ର ପ୍ରବୃତ୍ତ ଭାବେ କେଶ୍‌ ଗ୍ରହଣ କରି ମହିଳାମାନଙ୍କର ଅଧିକାର ଓ ସ୍ୱାର୍ଥକୁ ବଜାୟ ରଖିବାରେ ପ୍ରଚେଷ୍ଟା ଜାରି ରଖିଥାନ୍ତି । ବିଭିନ୍ନ ବର୍ଗର ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ଗବେଷଣା କରି ସରକାରଙ୍କୁ ପ୍ରଗତିଶୀଳ ସୁପାରିସ କରିବା ସଙ୍ଗେ ସଙ୍ଗେ ମହିଳାମାନଙ୍କ ବିକାଶ ଓ ଉନ୍ନତି ପାଇଁ ବିଭିନ୍ନ ପଲିସି ଓ ଯୋଜନା (ଖସଡ଼ା) ପ୍ରସ୍ତୁତି କରିବାରେ ମହିଳା ଆୟୋଗ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ।

ଏଥି ପାଇଁ ବିଭିନ୍ନ ଜିଲ୍ଲାରେ ଆଇନ ସଚେତନତା ଶିବିରମାନ ଆୟୋଜନ କରାଯାଇଥାଏ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜାତୀୟ ମହିଳା ଆୟୋଗର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ନିର୍ଯ୍ୟାତିତା ମହିଳାମାନଙ୍କୁ ଗୋଟିଏ ଛାତତଳେ ଆଇନ ପରାମର୍ଶ, ଡାକ୍ତରୀ ଚିକିତ୍ସା, ମାନସିକ ପରାମର୍ଶ ଯୋଗାଇଦେବା ନିମନ୍ତେ ‘ଓ୍ୱାନ୍‌ଷ୍ଟ ପ୍‌ ସେଣ୍ଟର-ସଖୀ’ ଏକ ସମୟୋ ପଯୋଗୀ ପରିକଳ୍ପନା ।

ଏହାର ପରିଚାଳନା ଦିଗରେ ମାର୍ଗଦର୍ଶନ ନିମନ୍ତେ ଆୟୋଗ ଦ୍ୱାରା କର୍ମଶାଳା ଆୟେଜନର ସେ ପ୍ରଶଂସା କରିଥିଲେ । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକ୍‌ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଥିବା ଓ୍ୱାନ୍‌ଷ୍ଟପ୍‌ ସେଣ୍ଟର ସୁପରିଚାଳନା ସଂପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ରାଜ୍ୟର ସମସ୍ତ ସଖୀ କେନ୍ଦ୍ରର ଉତ୍ତମ ପରିଚାଳନା ସମ୍ବନ୍ଧୀୟ ଏକ କର୍ମଶାଳା ଆୟୋଜନ ହୋଇଥିଲା । ଏହି କର୍ମଶାଳାରେ ଲକ୍ଷ୍ନୌରୁ ଆସିଥିବା ଅଭିଜ୍ଞ ସଖୀ ପରିଚାଳିକା ଅର୍ଚ୍ଚନା ସିଂ ସଖୀର ଉତ୍ତମ ପରିଚାଳନା ଓ କାର୍ଯ୍ୟକାରିତା ଉପରେ ଦିଗ୍‌ଦର୍ଶନ ଦେଇଥିଲେ ।

ଏଥିରେ ଅଂଶଗ୍ରହଣ କରିଥିବା ୩୦ ଜିଲ୍ଲା ସଖୀ କେନ୍ଦ୍ରର ସମସ୍ତ ପରିଚାରିକା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ, ଜିଲ୍ଲାର ଆଇନ ପ୍ରାଧିକରଣ କେନ୍ଦ୍ରର ସଦସ୍ୟସଦସ୍ୟାମାନେ ତଥା ମହିଳାମାନଙ୍କର ଅଧିକାର ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସେୱାଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ନିଗମ ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ କମିଶନ ଏବଂ ରାଜ୍ୟର ବିଭିନ୍ନ ବିଭାଗର ଉପଦେଷ୍ଟାମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନିଜ ନିଜ କର୍ମକ୍ଷେତ୍ରରେ ସଫଳତା ହାସଲ କରିଥିବା ଅଗ୍ରଣୀ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମହିଳାମାନଙ୍କୁ ହିଂସାମୁକ୍ତ ଓ ମର୍ଯ୍ୟଦା ପୂର୍ଣ୍ଣ ଜୀବନ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳା ଆୟୋଗର ମୁଖ ପତ୍ର ‘ହସ ଫୁଟିଲା ଓ ପରିବାର ତିଷ୍ଠିଲା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଆୟୋଗର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଜଲିନା ପ୍ରିୟଦର୍ଶିନୀଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.