Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ, ଭାରତୀୟଙ୍କ ଦବଦବା

ଦୁବାଇ: ପ୍ରକାଶ ପାଇଲଲା ୨୦୨୦ର ପ୍ରଥମ ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗ। ପ୍ରକାଶ ତାଲିକାରେ ଟିମ୍‌ ଇଣ୍ଡିଆର ଦବଦବା ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ଡେପୁଟି ରୋହିତ୍ ଶର୍ମା ଆଇସିସି ଦିନିକିଆ ରାଙ୍କିଙ୍ଗର ବ୍ୟାଟିଂ ତାଲିକାରେ ଶୀର୍ଷ ଦୁଇଟି ସ୍ଥାନ ଦଖଲ କରିଛନ୍ତି। ସେହିପରି ଭାରତୀୟ ପେସର୍ ଯଶପ୍ରୀତ ବୁମ୍ରା ମଧ୍ୟ ବୋଲରଙ୍କ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ କାଏମ ରଖିଛନ୍ତି।

ଆଇସିସି ଦିନିକିଆ ରାଙ୍କିଙ୍ଗରେ କୋହଲି (୮୮୬ ପଏଣ୍ଟ) ଓ ରୋହିତ୍ (୮୬୮ ପଏଣ୍ଟ) ଯଥାକ୍ରମେ ଦୁଇ ଏବଂ ତିନି ରେଟିଂ ପଏଣ୍ଟ ଲାଭ କରିଛନ୍ତି। ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ବାବର ଆଜମ ୮୨୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଷ୍ଟାର ପ୍ଳେୟାର ଫାଫ୍‌ ଡୁ ପ୍ଲେସିସ୍‌ (୮୧୫ ପଏଣ୍ଟ) ଓ ନ୍ୟୁଜିଲାଣ୍ଡର ରସ୍‌ ଟେଲର(୮୧୦) ପଏଣ୍ଟ ସହ କ୍ରମାଗତ ଭାବେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି। ବାମହାତୀ ଓପ୍ନର ଶିଖର ଧୱନଙ୍କୁ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଇନିଂସରେ ୧୭୦ ରନ୍ କରିଥିବା ଧୱନ୍ ୭ଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ଲୋକେଶ ରାହୁଲଙ୍କୁ ୨୧ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୫୦ତମ ସ୍ଥାନରେ ପହଞ୍ଚିଛନ୍ତି। ରାହୁଲ୍ ସିରିଜରେ ୧୪୬ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଖେଳି ଦିନିକିଆକୁ କମବ୍ୟାକ୍ କରିଥିବା ବୁମ୍ରା ୭୬୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପରକୁ ନ୍ୟୁଜିଲ୍ୟାଣ୍ଡର୍ ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟ (ଦ୍ୱିତୀୟ), ଆଫଗାନିସ୍ତାନର ମୁଜୀବ-ଉର୍ ରେହମାନ୍ (ତୃତୀୟ), ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା (ଚତୁର୍ଥ) ଏବଂ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ (ପଞ୍ଚମ) ଟପ୍‌-୫ରେ ରହିଛନ୍ତି। ଭାରତର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦୁଇଟି ସ୍ଥାନ ଉପରକୁ ଉଠି ବୋଲରଙ୍କ ରାଙ୍କିଙ୍ଗରେ ୨୭ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୪ଟି ୱିକେଟ୍ ହାସଲ କରିଥିଲେ। ଏହାଛଡ଼ା ଜାଡେଜା ବ୍ୟାଟରେ ୪୫ ରନର ଯୋଗଦାନ ମଧ୍ୟ କରିଥିଲେ। ଏହି କାରଣରୁ ସେ ଅଲରାଉଣ୍ଡର ରାଙ୍କିଙ୍ଗରେ ଦଶମ ସ୍ଥାନକୁ ଉଠିଛନ୍ତି।

Comments are closed.