Odisha Link
Bridging the Missing Links in Odisha

କୃଷି ଓଡ଼ିଶା ୨୦୨୦  ଉନ୍ମୋଚିତ

ଭୁବନେଶ୍ବର: ଜନତା ମଇଦାନଠାରେ ‘କୃଷି ଓଡ଼ିଶା-୨୦୨୦’ ଉଦଘାଟିତ ହୋଇଛି। ଜାନୁଆରି ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ୫ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତ। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟ କୃଷି ନୀତି ଉନ୍ମୋଚନ କରିଛନ୍ତି। ପାରମ୍ପରିକ ଧାରାକୁ ଛାଡ଼ି ଚାଷୀମାନେ କିଭଳି ନୂତନ ଜ୍ଞାନକୌଶଳ ବଳରେ ଲାଭଜନକ ଚାଷ କରିପାରିବେ ସେଥିପାଇଁ ଏହି ମେଗା ପ୍ରଦର୍ଶନୀ ଆରମ୍ଭ ହୋଇଛି।

‘କୃଷି ଓଡ଼ିଶା-୨୦୨୦’ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସରକାର। ସେ ଚାହାନ୍ତି, ଚାଷୀମାନେ ସ୍ୱାଭିମାନର ସହ ବଞ୍ଚନ୍ତୁ। କୃଷିର ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି। ନୂଆ କୃଷିନୀତିର ମୂଳ ଲକ୍ଷ୍ୟ ହେଉଛି ଚାଷୀର ବିକାଶ। ଚାଷୀମାନେ ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ସେମାନେ ଅଧିକ ଲାଭବାନ୍ ହୋଇପାରିବେ। ସରକାର ଚାଷୀମାନଙ୍କ ହିତରେ କାମ କରୁଛନ୍ତି ଓ ସେମାନଙ୍କ ସହ ସବୁବେଳେ ଅଛନ୍ତି।

ଏହି ଅବସରରେ କୃଷିମନ୍ତ୍ରୀ ଡ.ଅରୁଣ ସାହୁ ନିଜ ବକ୍ତବ୍ୟରେ କହିଛନ୍ତି, ରାଜ୍ୟର ଚାଷୀମାନଙ୍କ ଆୟ ବଢ଼ିଛି। ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି। ରାଜ୍ୟର ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି। ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି। କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ‘କୃଷି ଓଡ଼ିଶା-୨୦୨୦’ ପ୍ରଦର୍ଶନୀରେ ୨୨୮ଟି ଷ୍ଟଲ୍‌ ନିର୍ମିାଣ କରାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କମ୍ପାନି ଯୋଗଦେିଛନ୍ତି। ଦେଶବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି। ଯେଉଁଥିରେ ଜାତୀୟ ଓ ଅନ୍ତର୍ଜାତୀୟ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭାଗନେବେ।

ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଞ୍ଚାୟତିରାଜ ଜନ ପ୍ରତିନିଧି ଓ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ‘କୃଷି ଓଡ଼ିଶା-୨୦୨୦’ ପ୍ରଦର୍ଶନୀରେ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍‌ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି।

Comments are closed.