Odisha Link
Bridging the Missing Links in Odisha

ନାମ ପରିବର୍ତ୍ତନ ପାଇଁ ୟୁପି ସରକାରଙ୍କୁ ସୁପ୍ରିମ୍‌ କୋର୍ଟର ନୋଟିସ୍‌

ନୂଆଦିଲ୍ଲୀ: ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରାଯାଇଥିବା ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସୋମବାର ଦିନ ନୋଟିସ୍‌ ଜାରି କରିଛନ୍ତି। ଏହାକୁ ଆହ୍ଲାବାଦର ହେରିଟେଜ୍‌ ସୋସାଇଟି ଚାଲେଞ୍ଜ୍‌ କରିଥିଲା। ଏହି ମାମଲାରେ ଆବେଦନକାରୀ କହିଛନ୍ତି ଯେ ରେଳ ଷ୍ଟେସନ୍‌, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଏହାର ନାମକୁ ରାଜ୍ୟ ସରକାର ପରିବର୍ତ୍ତନ କରିପାରିବେ ନାହିଁ। ଏହିମାମଲାର ଶୁଣାଣି ଚିଫ୍‌ ଜଷ୍ଟିସ୍‌ ବୋବଡେ, ଜଷ୍ଟିସ୍‌ ଗବଇ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କରୁଛନ୍ତି।

୫୦୦ ବର୍ଷ ପୂର୍ବେ ମୋଗଲ ସମ୍ରାଟ ଆକବର କରିଥିବା ତ୍ରୁଟିକୁ ବିଜେପି ସଂଶୋଧନ କରୁଛି କହି ଉତ୍ତରପ୍ରଦେଶ ସରକାର ଐତିହାସିକ ସହର ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଛନ୍ତି। ଆକବର ଦେଇଥିବା ନାମ ପରିବର୍ତ୍ତନ କରି ଏ ସହରର ପୁରାତନ ନାମକୁ ପୁଣି ଫେରାଇ ଅଣାଯାଇଛି ବୋଲି ଯୋଗୀ ସରକାର କହିଥିଲା। ସରକାରଙ୍କର ଏହି ପଦକ୍ଷେପକୁ ବିରୋଧୀ, ବୁଦ୍ଧିଜୀବୀ ଓ ଐତିହାସିକମାନେ ତୀବ୍ର ସମାଲୋଚନା କରିଥିଲେ ଏବଂ କହିଥିଲେ କି, ସରକାର ଇତିହାସର ଜାଲିଆତି କରୁଛନ୍ତି। ୧୫୭୫ ମସିହାରେ ଆହ୍ଲାବାଦର ନାମକରଣ ହୋଇଥିଲା। ମୋଗଲ ସମ୍ରାଟ ଆକବର ଏହାକୁ ‘ଇଲ୍ଲାହାବାସ’ ଅର୍ଥାତ୍‌ ଈଶ୍ୱରଙ୍କ ନିବାସ ବୋଲି କହିଥିଲେ।ପୂର୍ବରୁ ଏହି ସହରର ନାମ ଥିଲା ପ୍ରାୟଗ। ଆକବରଙ୍କ ଦରବାରର ଐତିହାସିକ ଅବୁଲ୍‌ ଫଜଲ୍‌ଙ୍କ ଲେଖା ସମେତ କେତେକ ମଧ୍ୟଯୁଗୀୟ ପୁସ୍ତକରେ ଏହାକୁ ‘ପିୟାଗ’ ବୋଲି କୁହାଯାଇଛି।

Comments are closed.