ଉଠା ଦୋକାନ ଉପରେ ମାଡ଼ିଗଲା ଟ୍ରକ୍, ୪ ବ୍ୟବସାୟୀ ମୃତ

ସମ୍ବଲପୁର: ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ଭୋରରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ଅସ୍ଥାୟୀ ଦୋକାନୀଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ପରମାନପୁରରେ ଧନୁଯାତ୍ରା ପାଇଁ ମୀନାବଜାର ପଡ଼ିଛି। ଏଥିପାଇଁ ରାସ୍ତାପାର୍ଶ୍ଵରେ ବ୍ୟବସାୟୀମାନେ ଅସ୍ଥାୟୀ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ସୋମବାର ରାତିରେ ଦୋକାନୀମାନେ ଦୋକାନ ବନ୍ଦ କରି ଶୋଇପଡ଼ିଥିଲେ। କିନ୍ତୁ ରାତି ପ୍ରାୟ ୪ଟାରେ ସିନ୍ଦୂରପଙ୍କ ଛକ-ପରମାଣପୁର ରାସ୍ତା ଦେଇ ରାଉରକେଲାରୁ ପାରାଦୀପ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଗୋଟିଏ ପରେ ଗୋଟିଏ ୩ଟି ଉଠା ଦୋକାନ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ସେଠାରେ ଥିବା ଅନ୍ୟ ଦୋକାନୀମାନେ ଉଠିଯାଇଥିଲେ। ସେଠାରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଥିଲା। ଟ୍ରକ ମାଡ଼ିଯିବା ଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ସମ୍ବଲପୁର ପେନସନପଡ଼ାର ମହମ୍ମଦ ସାୟତ, ମହମ୍ମଦ ତେୟତ, ୱାକାର ଆଲମଏବଂ ମହମ୍ମଦ ଦନିଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତର ଆହତ ରାଜେଶ ମହାନନ୍ଦ ଏବଂ ମହମ୍ମଦ ଜଲାଉଦ୍ଦିନଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଛି। ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି।
Comments are closed.