Odisha Link
Bridging the Missing Links in Odisha

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮୯ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କ‌ାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୁଧବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ‘ପ୍ରଗତି’ ବୈଠକରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ସଂପର୍କରେ ଟିକିନିଖି ତଥ୍ୟ ଜାଣିବାକୁ ଆଗ୍ରହ ଦେଖାଇଥିଲେ। କେଉଁ ପରିସ୍ଥିତିରେ ପ୍ରକଳ୍ପ ବିଳମ୍ବ ହେଉଛି, ନିର୍ଦିଷ୍ଟ କେବେ ଏହି ପ୍ରକଳ୍ପ ସରିବ, ସେ ନେଇ ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।। କେନ୍ଦ୍ର ସରକାରଙ୍କ ଅଧିକାରୀମାନେ କହିଥିଲେ ଯେ ୨୦୧୫ ମସିହାରୁ ଏହି ପ୍ରକଳ୍ପର କାର୍ଯ୍ୟ ଧାର୍ଯ୍ୟ ଅନୁସାରେ କରାଯାଉଛି। ତା’ ପରଠାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୌଣସି ବିଳମ୍ବ ହୋଇନାହିଁ।

ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳ ଟ୍ରାକର ନିର୍ମାଣ କାର୍ଯ୍ୟ ଠିକ୍ ଗତିରେ ଚାଲୁଅଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ। ଏହି ରେଳ ପ୍ରକଳ୍ପର ଷ୍ଟାଟସରେ ଥିବା ଅନ୍ୟ କାର୍ଯ୍ୟ ମଧ୍ୟ ସୂଚାରୁରୂପେ ସମ୍ପାଦିତ ହେଉଅଛି।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ବୌଦ୍ଧ ଏବଂ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ସମସ୍ୟା ଦେଖାଯାଇଛି। ସରକାର ଜମି ଅଧିଗ୍ରହଣ ପାଇଁ ଧ୍ୟାନ ଦେଉଛନ୍ତି। ମାତ୍ର କିଛି ସ୍ଥାନରେ ଜଙ୍ଗଲ ଏବଂ ପରିବେଶ ମଞ୍ଜୁରୀ ପ୍ରକ୍ରିୟା ତ୍ବରାନ୍ବିତ ହେବାର ଆବଶ୍ୟକତା ରହିଛି। ଏନ୍‌ଡିଏ ସରକାର ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇବାରୁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଏହି ଅର୍ଥରେ ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଉଛି , ଆଗାମୀ ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ। ପରିବେଶ ମଞ୍ଜୁରୀ ସମେତ ଅନ୍ୟ ସବୁ ପ୍ରକ୍ରିୟା ପୂରଣ ହେଲେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ସମ୍ଭାବନା ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ପ୍ରଗତି ବୈଠକରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଷ୍ଟାଟସ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବେଶ ପ୍ରଭାବିତ ହୋଇଥିଲେ ଓ ସନ୍ତୋଷ ବ୍ୟକ୍ତ ମଧ୍ୟ କରିଥିଲେ। ଏହି ପ୍ରଗତିର ବୈଠକରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ। ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ମିଶି ଓଡିଶାର ସାମଗ୍ରିକ ବିକାଶ ପାଇଁ ଏହି ପ୍ରକଳ୍ପକୁ ପୂରା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅଗ୍ରାଧିକାର ଭିତ୍ତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ।

Comments are closed.