‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପ ଆରମ୍ଭ

ଭୁବନେଶ୍ବର : ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପ। ଏଣିକି ଘରେ ବସି ଅନ୍ଲାଇନ୍ ମାଧ୍ୟମରେ ଏତଲା ଦାୟର କରି ହେବ। ଏଥିପାଇଁ ଆଉ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ମିଳିବପାରିବ। ରାସ୍ତା ଦୁର୍ଘଟଣା ହେଲେ ବୀମା ସହାୟତା ପାଇଁ ପୁଲିସ୍, ଡାକ୍ତରଖାନା, ଆର୍ଟିଓ ଓ ବୀମା କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଲୋକ ହଇରାଣ ହୁଅନ୍ତି। ଏବେ ‘ରୋଡ୍ ଆକ୍ସିଡେଣ୍ଟ୍ ଡକୁମେଣ୍ଟ୍ ମଡ୍ୟୁଲ୍’ ମାଧ୍ୟମରେ ଏହି କାର୍ଯ୍ୟ ସହଜ ହେବ। ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ବି ଆଉ ଥାନା ଓ ଡାକ୍ତରଖାନାରେ ଚକ୍କର କାଟିବାକୁ ପଡ଼ିବ ନାହିଁ। ‘ମେଡିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍’ ମାଧ୍ୟମରେ ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିବ। ରାଜ୍ୟ ସରକାରଙ୍କ ୫-ଟି ଅଭିଯାନରେ ଓଡ଼ିଶା ପୁଲିସ୍ର ଏହି ତିନିଟି ଗୁରୁତ୍ବପୂର୍ଣ୍ଣ ସେବା ଯୋଡ଼ି ହୋଇଛି।
ଗାଡ଼ି ଚୋରି ହେଲେ ଗାଡ଼ି ମାଲିକଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବନି। ନିଜ ମୋବାଇଲ୍ ମାଧ୍ୟମରେ ଅନ୍ଲାଇନ୍ରେ ପୁଲିସ୍କୁ ଅଭିଯୋଗ ପଠାଇ ପାରିବେ। ପୁଲିସ୍ ଅନ୍ଲାଇନ୍ରେ ଏତଲାକୁ ପଞ୍ଜୀକରଣ କରି ତଦନ୍ତ କରିବ। ୨୧ ଦିନ ପରେ ଗାଡ଼ିର ସନ୍ଧାନ ନ ମିଳିଲେ ଚୂଡ଼ାନ୍ତ ଫର୍ମ ସିସିଟିଏନ୍ଏସ୍ରେ ଜେନେରେଟ୍ ହେବ। ମୋଟର୍ ସାଇକେଲ୍ ଚୋରି କ୍ଷେତ୍ରରେ ବୀମା ଦାବି ପାଇଁ ଏହା ସହାୟକ ହେବ।ଜଣେ ବ୍ୟକ୍ତି ସିଟିଜେନ୍ସ୍ ପୋର୍ଟାଲ୍ ଜରିଆରେ ମଧ୍ୟ ଏତଲା ଦେଇପାରିବେ।
‘ରୋଡ୍ ଆକ୍ସିଡେଣ୍ଟ୍ ଡକୁମେଣ୍ଟ୍ ମଡ୍ୟୁଲ୍’ ବ୍ୟବସ୍ଥାରେ ମୋଟର୍ ଯାନ ଦୁର୍ଘଟଣା କ୍ଷେତ୍ରରେ ତୃତୀୟ ପକ୍ଷର ଦାବି ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ଆବଶ୍ୟକ କାଗଜପତ୍ର ପ୍ରାପ୍ତ କରିବାରେ ବୀମା କମ୍ପାନିମାନଙ୍କୁ ସହାୟତା ପ୍ରଦାନ କରାଯିବ। ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟମାନେ ବୀମା ସଂକ୍ରାନ୍ତୀୟରେ ହଇରାଣ ହୁଅନ୍ତି। ଏହି ବ୍ୟବସ୍ଥାରେ ବୀମା କମ୍ପାନି ଓ କ୍ଷତିଗ୍ରସ୍ତ ବ୍ୟକ୍ତିମାନେ ଏତଲାର ନକଲ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣ ପତ୍ର ବହି, ଦୁର୍ଘଟଣା ଘଟିଥିବା ସ୍ଥାନର ନକ୍ସା, ମୋଟର ଯାନ ନିରୀକ୍ଷକଙ୍କ ରିପୋର୍ଟ, ପୋଷ୍ଟମର୍ଟମ୍ ରିପୋର୍ଟ ଆଦି ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ଓ ବୀମା ସଂକ୍ରାନ୍ତୀୟ ଦାବି ଶୀଘ୍ର ସମାଧାନ ହୋଇପାରିବେ।
ରାସ୍ତା ଦୁର୍ଘଟଣା ସମ୍ବନ୍ଧୀୟ କାଗଜପତ୍ରକୁ ସିସିଟିଏନ୍ଏସ୍ ମାଧ୍ୟମରେ ଅପ୍ଲୋଡ୍ କରିବେ। ବୀମା କମ୍ପାନିଙ୍କୁ ୟୁଜର୍ ଆଇଡି ଓ ପାସ୍ୱାର୍ଡ ପ୍ରଦାନ କରାଯିବ, ଯାହା ଦ୍ବାରା ସେମାନେ ୧୦୦ ଟଙ୍କା ଦେଇ ଆବଶ୍ୟକ କାଗଜପତ୍ର ଡାଉନ୍ଲୋଡ୍ କରିବେ। ସଂପୃକ୍ତ ବ୍ୟକ୍ତି ନିଜ ମୋବାଇଲ୍ ନମ୍ବର ଓ ଓଟିପି ବ୍ୟବହାର କରି ବିନା ଦେୟରେ କାଗଜପତ୍ର ଡାଉନ୍ଲୋଡ୍ କରିପାରିବେ। ‘ମେଡିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍’ ଉଭୟ ପୁଲିସ୍ ଓ ଡାକ୍ତରଙ୍କ ପାଇଁ ଉପାଦେୟ ହେବ।